ଦେବନହଲ୍ଲୀ (ବେଙ୍ଗାଲୁରୁ ଗ୍ରାମୀଣ ) : କର୍ଣ୍ଣାଟକରେ କନ୍ନଡ଼ ଭାଷାକୁ ନେଇ ବଢିଛି ତାତି । କର୍ଣ୍ଣାଟକ ରକ୍ଷା ବେଦିକେ ସଙ୍ଗଠନର ନାରାୟଣ ଗୌଡ଼ା ଗୋଷ୍ଠୀ ଦ୍ବାରା ଆଜି କର୍ଣ୍ଣାଟକରେ କନ୍ନଡ଼ ଭାଷାରେ ନାମଫଳକ ଲଗାଇବା ଦାବି ନେଇ ଏକ ବିଶାଳ ବିରୋଧ ରାଲି ଆୟୋଜିତ ହୋଇଥିଲା । ଏହି ଅବସରରେ ସଙ୍ଗଠନର କର୍ମକର୍ତ୍ତା ମାନେ ଇଂରାଜୀ ଭାଷାରେ ଲେଖାଯାଇ ଥିବା ସମସ୍ତ ବିଜ୍ଞାପନକୁ ଚିରି ଫାଡି ନିଜର ଆକ୍ରୋଶ ବ୍ୟକ୍ତ କରିଥିଲେ । ଏହି ରାଲି ଦେବନ ହଲ୍ଲୀର ସଦା ହଲ୍ଲୀ ଟୋଲରୁ ଆରମ୍ଭ ହୋଇ ବେଙ୍ଗାଲୁରୁ କବ୍ବନ ପାର୍କ ଯାଏଁ ଯାଇ ଥିଲା । ଏହି ସମୟରେ ରାସ୍ତାରେ ଥିବା ସମସ୍ତ ନେମ ପ୍ଲେଟ ଯାହା ଇଂରାଜୀ କିମ୍ବା ଅଣ-କନ୍ନଡ଼ ଭାଷାରେ ଲେଖା ଯାଇଥିଲା ସେ ସବୁକୁ କର୍ମୀ ମାନେ ଫାଡି ଦେଇଥିଲେ ।
ସହରରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ଡିସିପି ଲକ୍ଷ୍ମୀ ପ୍ରସାଦଙ୍କ ନେତୃତ୍ବରେ କଡ଼ା ବନ୍ଦୋବସ୍ତ କରାଯାଇଥିଲା । ସହରର ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ବଳ ନିୟୋଜିତ ହୋଇଥିଲେ । ଏନେଇ ଜଣେ ଏସିପି , ୬ ଇନ୍ସପେକ୍ଟର, ୧୨ ସବ ଇନ୍ସପେକ୍ଟର ସମେତ ୫୦୦ରୁ ଅଧିକ ପୋଲିସ କର୍ମୀ ମୁତୟନ ହୋଇଥିଲେ । ବେଙ୍ଗାଲୁରୁ ଏୟାର ପୋର୍ଟ ରୋଡରେ ପୂର୍ବରୁ ବ୍ୟାରିକେଡ ଲଗାଯାଇଥିଲା ।
ପ୍ରକାଶଯୋଗ୍ୟ ଯେ କାରାବେ (କର୍ଣ୍ଣାଟକ ରକ୍ଷଣ ବେଦିକେ)ର କର୍ମକର୍ତ୍ତା ମାନେ କନ୍ନଡ଼ ଭାଷାରେ ନେମପ୍ଲେଟ ନ ଲଗାଉ ଥିବା ଲୋକଙ୍କ ଉପରେ ନିଜର ରାଗ ସୁଝାଇ ଥିଲେ । ଏହି ରାଲିର ନେତୃତ୍ବ ନେଇଥିବା ନାରାୟଣ ଗୌଡ଼ାଙ୍କୁ ପୋଲିସ ନିଜ ହେପାଜତରେ ନେଇଛି । ନାରାୟଣ ଗୌଡ଼ା ଉପରିସ୍ଥ ଅଣ-କନ୍ନଡ଼ ଅଧିକାରୀ ମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କଥା କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ ... କର୍ଣ୍ଣାଟକରେ ମାଡୁଛି କୋରୋନା, ସଂକ୍ରମିତଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ
ଗତ କିଛି ଦିନ ତଳେ ବୃହତ ବେଙ୍ଗାଲୁରୁ ମହାନଗର ପାଳିକା ଦ୍ବାରା ୨୮ ଫେବୃଆରୀ ପର୍ଯ୍ୟନ୍ତ ନଗର ପାଳିକା ଅନ୍ତର୍ଗତ ଆସୁଥିବା ସମସ୍ତ ଦୋକାନ ରେ ୬୦ % ଯାଏଁ କନ୍ନଡ଼ ଭାଷାରେ ନେମପ୍ଲେଟ ଲଗାଇବାକୁ ନିର୍ଦେଶ ଦିଆଯାଇ ଥିଲା । ଏହି ନିୟମର ଅବମାନନାକାରୀଙ୍କ ବିରୁଦ୍ଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା କଥା ନଗର ପାଳିକା କହିଥିଲା । ନିୟମ ନ ମାନୁଥିବା ଦୋକାନର ଲାଇସେନସ ରଦ୍ଦ କରିବାର ଧମକ ମଧ୍ୟ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ