ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏହି ତାଲିକାରେ 32 ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଥିବା ବେଳେ କିଛି ପୁରୁଣା ବିଧାୟକ ଓ ବର୍ତ୍ତମାନର ବିଧାୟକଙ୍କ ନାମ ପ୍ରକାଶ ପାଇନାହିଁ । ଯାହାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନିର୍ବାଚନରେ ପ୍ରତିଦ୍ବନ୍ଦୀ କରିବାକୁ ଟିକେଟ ନମିଳିବାରୁ ଏବେ ବିଜେପି ଛାଡିଛନ୍ତି ଟିକେଟ ପାଇଁ ଆଶାୟୀ ଥିବା ପୂର୍ବତନ ବିଜେପି ବିଧାୟକ ଡୋଡାପାଗୌଡା ପାଟିଲ ନରିବୋଲା । ସେ ଜ୍ବେର୍ଗି ନିର୍ବାଚନ ମଣ୍ଡଳୀରୁ ଗତ 2008 ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଧର୍ମାସିଂଙ୍କୁ ହରାଇ ବିଜୟୀ ହୋଇଥିଲେ । କିନ୍ତୁ ମେ ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ତାଙ୍କୁ ଟିକେଟ ନମିଳିବାରୁ ସେ ଗତକାଲି ଦଳ ଛାଡିଥିବା ଘୋଷଣା କରିଛନ୍ତି ।
ଜ୍ବେର୍ଗି ନିର୍ବାଚନ ମଣ୍ଡଳୀରୁ ଦଳ କାଲାବୁରାଗି ବିଜେପି ଜିଲ୍ଲା ସଭାପତି ଶିବରାଜ ପାଟିଲ ରାଡବେଦାଗିଙ୍କୁ ପ୍ରାର୍ଥୀ କରିଛି । ଏନେଇ ପାଟିଲ କହିଛନ୍ତି ଯେ, ମୁଁ ଅନ୍ୟ ଏକ ଦଳରେ ସାମିଲ ହେବି ନଚେତ ହେବାକୁ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବି । ଏକ ଜନ ସମାବେଶକୁ ସମ୍ବୋଧିତ କରି ଡୋଡାପାଗୌଡା ପାଟିଲ ନରିବୋଲା ଦଳରୁ ଇସ୍ତଫା ଘୋଷଣା କରିଛନ୍ତି। ''
ଟିକେଟ ନପାଇବା ପରେ ପାଟିଲ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ''ମୁଁ କାହା ସହ ଧୋକା ବା ଲୁଟ କରିନାହିଁ । ଲୋକମାନଙ୍କ ପାଇଁ ମୁଁ 24 ଘଣ୍ଟା କାମ କରିଛି । ଦଳକୁ ମଜବୁତ କରିବା ପାଇଁ ମୁଁ 21 ବର୍ଷ ଧରି କାମ କରୁଛି । ମୁଁ ସଚ୍ଚୋଟତାର ସହ ଦଳ ପାଇଁ କାର୍ଯ୍ୟ କରିଛି । ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏହା ଦଳୀୟ କର୍ମୀଙ୍କୁ ଆଘାତ ଦେଇଛି । ମୋ କର୍ମୀ ମାନେ ଆଘାତ ପାଇବା ପରେ ମୁଁ କାହିଁକି ପାର୍ଟିରେ ରହିବି । ତେଣୁ ମୁଁ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦାଖଲ କରିବି । ମୁଁ ଅନ୍ୟ ଦଳରେ କିମ୍ବା ସ୍ବାଧିନ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦୀ କରିବି । ''
ଆସନ୍ତା ମାସ ମେ’ 10 ତାରିଖରେ କର୍ଣ୍ଣାଟକରେ 224ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଗତକାଲି ବିଜେପି ପକ୍ଷରୁ ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରାଯାଇଥିଲା । ଯେଉଁଥିରେ 32 ଜଣ ନାମ ପ୍ରକାଶ ପାଇଥିଲା । କିଛି ବିଧାୟକଙ୍କ ନାମ ତାଲିକାରେ ପ୍ରକାଶ ପାଇନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।