ଡେରାଡୁନ: ଏନଟିପିସି (National Thermal Power Corporation Limited) ଦ୍ବାରା ନିର୍ମାଣ ହେଉଥିବା ବିଷ୍ଣୁଗଡ଼ ପ୍ରକଳ୍ପ କାରଣରୁ ଯୋଶୀମଠ ଭୂସ୍ଖଳନ ହୋଇଥିବା ଅଭିଯୋଗ ହେଉଛି । ଏନେଇ ଯୋଶୀମଠ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏନଟିପିସି ଦ୍ବାରା ଜାରି ରହିଥିବା ବିଷ୍ଣୁଗଡ଼ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବାକୁ ଦାବି ହେଉଛି । ଏନେଇ ଯୋଶୀମଠ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମର ହଜାରହଜାର ପ୍ରଭାବିତ ଯୋଶୀମଠ ବଞ୍ଚାଅ ସଂଘର୍ଷ ସମିତି ନେତୃତ୍ବରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି ।
ଏହି ଶୋଭାଯାତ୍ରାରେ ଯୋଗଦେଇ ଯୋଶୀମଠ ବଞ୍ଚାଅ ସଂଘର୍ଷ ସମିତିର ସଦସ୍ୟ ଇନ୍ଦ୍ରେସ ମୈଖୁରୀ ଏହି ବିପର୍ଯ୍ୟୟ ପାଇଁ ଏନଟିପିସିର ବିଷ୍ଣୁଗଡ଼ ପ୍ରକଳ୍ପକୁ ଦାୟୀ କରିଛନ୍ତି । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେ ବିଷ୍ଣୁଗଡ଼ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି । ଏହାସହ ସେ ହେଲଙ୍ଗ ମାରୱାରୀ ବାଇପାସର କାମ ବନ୍ଦ କରାଯିବା ପାଇଁ ମଧ୍ୟ ଦାବି କରିଛନ୍ତି । ସେ କହିଛନ୍ତି, "ଯୋଶୀମଠ ବିପର୍ଯ୍ୟୟକୁ ଏତେଦିନ ବିତିଯାଇଥିଲେ ମଧ୍ୟ ସରକାର ପ୍ରଭାବିତଙ୍କୁ ପୁନର୍ବାସ ତଥା ଥଇଥାନ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏଭଳି ପରିସ୍ଥିତିରେ ଯୋଶୀମଠର ଅସ୍ଥିତ୍ବ ବଞ୍ଚାଇବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ ।" ସେହିଭଳି ଏହି ଶୋଭାଯାତ୍ରାରେ ଶାମିଲ ହୋଇଥିବା ମହିଳାମାନେ କହିଛନ୍ତି, ଯୋଶାମଠ ବିପର୍ଯ୍ୟୟର ଏକମାତ୍ର କାରଣ ହେଉଛି ଏନଟିପିସି । ଆଜି ଏନଟିପିସି କାରଣରୁ ଆମେ ଘରଦ୍ବାର ଛାଡ଼ି ରାଜରାସ୍ତାକୁ ଆସିଛୁ ।
863 ଘରେ ସୃଷ୍ଟି ହୋଇଛି ଫାଟ: ଯୋଶୀମଠ ଅଞ୍ଚଳରେ ଭୂ-ସ୍ଖଳନ କାରଣରୁ ଏବେ ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଥିବା ପ୍ରାୟ 863 ଘର ଚିହ୍ନଟ ହୋଇଛି । ଏହା ମଧ୍ୟରୁ 181 ଘର ଅସୁରକ୍ଷିତ କ୍ଷେତ୍ରରେ ରହିଛି । 282 ବିପର୍ଯ୍ୟୟ ପ୍ରଭାବିତ ପରିବାରର 947 ସଦସ୍ୟଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି । ଏହି କ୍ୟାମ୍ପରେ ଖାଦ୍ୟ, ପାନୀୟ ଜଳ ଓ ପ୍ରାଥମିକ ଚିକିତ୍ସା ଆଦି ମୈଳିକ ସୁବିଧା ଯୋଗାଇ ଦିଆଯାଉଛି । ସର୍ବସାଧାରଣ ସ୍ଥାନ, ଛକ ଏବଂ ରିଲିଫ୍ କ୍ୟାମ୍ପଗୁଡିକର 20ଟି ସ୍ଥାନରେ ନିୟମିତ ବନ୍ଫାୟାର ବ୍ୟବସ୍ଥା କରାଯାଇଛି । ଚମୋଲି ଜିଲ୍ଲା ପ୍ରଶାସନ ରିପୋର୍ଟ ଅନୁସାରେ ଏବେ ପର୍ଯ୍ୟନ୍ତ ପ୍ରାୟ 585 ପ୍ରଭାବିତଙ୍କୁ ପ୍ରାଥମିକ ପର୍ଯ୍ୟାୟରେ 388.27 ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦିଆସରିଛି ।
ଏନଟିପିସି ଦେଇଛି ସ୍ପଷ୍ଟୀକରଣ: ଯୋଶୀମଠ ବିପର୍ଯ୍ୟୟ ପ୍ରଭାବିତ ଓ ଯୋଶାମଠ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ଏହି ବିପର୍ଯ୍ୟୟ ପାଇଁ ଏନଟିପିସିକୁ ଦାୟୀ କରାଯାଉଥିବା ବେଳେ ଏନେଇ ଏନଟିପିସି ସ୍ପଷ୍ଟୀକରଣ ରଖିଛି । ବିଷ୍ଣୁଗଡ଼ ପ୍ରକଳ୍ପ ଓ ଯୋଶୀମଠ ଭୂ-ସ୍ଖଳନ ମଧ୍ୟରେ କୌଣସି ସମ୍ପର୍କ ନଥିବା ସଫେଇ ଦେଇଛି ଏନଟିପିସି । ଏନଟିପିସି ଦେଇଥିବା ସୂଚନା ଅନୁସାରେ ତପୋବନ ବିଷ୍ଣୁଗଡ଼ ପ୍ରକଳ୍ପର ଟନେଲ ମାଟିରୁ 1 କିମିରୁ ଊର୍ଦ୍ଧ୍ବ ଗଭୀରରେ ରହିଛି । ଏହା ଯୋଶୀମଠ ତଳ ଦେଇ ମଧ୍ୟ ଯାଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ