ଚମୋଲି: ଦୀର୍ଘ ସମୟ ଧରି ସଡ଼କ ନିର୍ମାଣ ପାଇଁ ବାଟ ଦେଖୁଥିବା ଦ୍ବିଙ୍ଗ-ତପୋଣ କ୍ଷେତ୍ରର ଗ୍ରାମବାସୀଙ୍କ ଦାବି ଖୁବ୍ଶୀଘ୍ର ପୁରା ହେବାକୁ ଯାଉଛି । ଏଠାରେ ପୋଲ ନିର୍ମାଣ ହୋଇ ନଥିବାରୁ ସଡ଼କ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ି ରହିଥିଲା । ତେବେ ଏସବୁ ମଧ୍ୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଜେସିବି ମେଶିନକୁ ଅଳକନନ୍ଦା ନଦୀ ପାର କରାଇବା । କିନ୍ତୁ ଠିକାଦାର ତାର ମାଧ୍ୟମରେ ଜେସିବି ମେଶିନକୁ ଅଳକନନ୍ଦା ନଦୀ ପାର କରାଇ ଦେଇଛନ୍ତି । ଏହାକୁ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେପଟେ ଜେସିବି ପହଁଞ୍ଚିବା ପରେ ଗ୍ରାମବାସୀଙ୍କ ମନରେ ସଡ଼କ ସୁବିଧା ମିଳିବାର ଆଶା ସଞ୍ଚାର ହୋଇଛି ।
ସୂଚନା ଯୋଗ୍ୟ ଯେ ପ୍ରଶାସନ ପକ୍ଷରୁ ଲାଞ୍ଜି, ପୋଖନୀ, ହ୍ୟୁଂନା ଓ ତପୋଣ ଗାଁ ଗୁଡ଼ିକର ପ୍ରାୟ 25 ହଜାର ଜନସଂଖ୍ୟାକୁ ସଡ଼କ ସୁବିଧା ଯୋଗାଇ ଦେବାପାଇଁ 2010 ମସିହାରେ 6 କମି ବିଶିଷ୍ଟ ଦ୍ବିଙ୍ଗ-ତପୋଣ ସଡ଼କକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା । ଯାହାର ନିର୍ମାଣ ପାଇଁ 2018 ମସିହାରେ ବନ ଭୂମି ଅଧିଗ୍ରହଣ ପ୍ରକ୍ରିୟା ପୁରା କରାଯାଇଥିଲା । କିନ୍ତୁ ଏଠାରେ ସବୁଠାରୁ ବଡ଼ ବାଧକ ସାଜିଥିଲା ଅଳକନନ୍ଦା ନଦୀ । କାରଣ ସଡ଼କ ନିର୍ମାଣ ଅଳକନନ୍ଦା ନଦୀର ଅପର ପାର୍ଶ୍ବରେ କରାଯିବାର ଥିଲା ।
ଏହି ସ୍ଥିତିରେ ଏଠାରେ ଦୁଇଶହ ମିଟର ପାହାଡ଼ କଟାଯାଇ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଗଲା, କିନ୍ତୁ ପୋଲକୁ ମଞ୍ଜୁରୀ ନମିଳିବାରୁ ଅପର ପାର୍ଶ୍ବରେ ମାନବ ଶ୍ରମ ଦ୍ବାରା ନିର୍ମାଣ ହେଉଥିବା ରାସ୍ତା କାମ ଧିମା ପଡ଼ି ଯାଇଥିଲା । ଯାହା କାରଣରୁ ସଡ଼କ ସ୍ବୀକୃତିକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଏଠାକାର ଗ୍ରାମବାସୀ ନିଜ ଗନ୍ତବ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ 7 କିମି ବାଟ ପାଦରେ ଚାଲି ଅତିକ୍ରମ କରୁଛନ୍ତି ।
ଏହି ସବୁ ମଧ୍ୟରେ ଠିକାଦାର ମୋହନ ସିଂହ ବିଷ୍ଟଙ୍କ ଦ୍ବାରା ଅଳକନନ୍ଦା ନଦୀର ଉଭୟ ପାର୍ଶ୍ବରେ ତାର ବନ୍ଧା ହୋଇ ଚେନ କୁପ୍ପି ମାଧ୍ୟମରେ ଜେସିବିକୁ ନଦୀ ପାର କରି ଅପର ପାର୍ଶ୍ବକୁ ପଠାଇ ଦିଆଯାଇଛି । ଫଳରେ ଏଠାରେ ସଡ଼କ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ସେପଟେ ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ ପୋଲ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରଥମ ପର୍ଯ୍ୟାୟରେ ମଞ୍ଜୁରୀ ମିଳି ସାରିଛି । ଯାହାଦ୍ବାରା ଗ୍ରାମବାସୀଙ୍କ ସଡ଼କ ସୁବିଧାର ସ୍ବପ୍ନ ଶୀଘ୍ର ପୂରଣ ହେବାର ଆଶା ଦେଖା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ