ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇଛି କୋରୋନା । କିଛି ଦିନ ହେଲା ୧୦ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୨,୭୮୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 12,781 fresh Covid Cases) । ଯାହାକି ଗତକାଲି(ରବିବାର) ତୁଳନାରେ ସାମାନ୍ୟ କମ୍ । ଆଜି ସଂକ୍ରମଣ କମିବା ସହ ମୃତ୍ୟୁସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଦିନକରେ ୧୮ ଜଣଙ୍କର ମୁଣ୍ତ ନେଇଛି ମହାମାରୀ ।
ଏହାସହ ୮,୫୩୭ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ୭୦ ହଜାର ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୬,୭୦୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ ହାର ୪.୩୨% ରେ ପହଞ୍ଚିଛି ।
ଏଯାବତ୍ ୪,୨୭,୦୭,୯୦୦ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ ୫,୨୪,୮୭୩ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୬ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।