ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ଭାରତ ସରକାରଙ୍କ ବଡ ନିଷ୍ପତ୍ତି । ଆଫଗାନ ସଙ୍କଟକୁ ଦୃଷ୍ଟିରେ ରଖି ଭିସା ନୀତିରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଆଫଗାନିସ୍ତାନରୁ ଆସିବାକୁ ଚାହୁଁଥିବା ନାଗରିକମାନଙ୍କ ପାଇଁ ନୂଆ ଭିସା ଶ୍ରେଣୀର ହୋଇଛି ଘୋଷଣା ।
ତାଲିବାନ ଆତଙ୍କକୁ ନେଇ ଭୟର ବାତାବରଣ ମଧ୍ୟରେ ଭାରତ ସରକାରଙ୍କ ନିଷ୍ପତ୍ତି ଆଫଗାନିସ୍ତାନ ନାଗରିକଙ୍କୁ ଦେବ ବଡ ଆଶ୍ବସ୍ତି । ଭାରତରେ ପ୍ରବେଶ କରିବାକୁ ଇଚ୍ଛୁକ ଆଫଗାନ ଲୋକଙ୍କ ଭିସା ଆବେଦନକୁ ଦ୍ରୁତ ଗତିରେ ଟ୍ରାକ କରିବାକୁ ଇ ଜରୁରୀକାଳୀନ ଏକ୍ସ ମିକ୍ସ ଭିସା(E-Emergency X-mics Visa) ନାଁରେ ଇଲେକ୍ଟ୍ରୋନିକ ଭିସାର ନୂଆ କ୍ୟାଟାଗୋରୀ ଆରମ୍ଭ କରିଛନ୍ତି ।
ଆଫଗାନିସ୍ତାନରୁ ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରୁଥିବା ଆଫଗାନ ନାଗରିକଙ୍କ ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ପାଇଁ ଗୃହମନ୍ତ୍ରଣାଳୟ ଭିସା ନୀତିରେ ନୂଆ ଶ୍ରେଣୀର ଘୋଷଣା କରିଛନ୍ତି । ଆଫଗାନିସ୍ତାନରେ ବର୍ତ୍ତମାନ ସଙ୍କଟର ସ୍ଥିତିକୁ ଦୃଷ୍ଟିରେ ରଖି ଭିସା ପ୍ରାବଧାନର ସମୀକ୍ଷା କରାଯାଇଛି ।
ଏପଟେ ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗୁଁ ଧିରେଧିରେ ଭାରତ ଅଣାଯାଉଛି । କାବୁଲରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ସହଜ ନଥିଲା । କାରଣ ବିମାନବନ୍ଦରରେ ସ୍ଥିତି ଭୟାବହ ରହିଥିଲା । ସୋମବାର ହଜାରହଜାର ଲୋକଙ୍କ ଭିଡ ଲାଗିଥିଲା । ପରିସ୍ଥିତି ଅଣାୟତଃ ହେବାରୁ ଏଠାରେ ଗୁଳି ଚଳାଇବାକୁ ମଧ୍ୟ ପଡିଥିଲା, ଯେଉଁଥିରେ ୫ ଜଣ ହରାଇଥିଲେ ପ୍ରାଣ । ଏଭଳିସ୍ଥିତିରେ ଭାରତୀୟଙ୍କୁ ସେଠାରୁ ଆଣିବା କଠିନ ଥିଲା । ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ଆଲୋଚନା କରିଥିଲେ ଭାରତର NSA ଅଜିତ ଡୋଭାଲ ।