ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟ 'ଇଣ୍ଡିଆ' ୧୪ ଟିଭି ଆଙ୍କର୍ସଙ୍କ ଶୋ'କୁ ବର୍ଜନ କରିବା ଲାଗି ଗୁରୁବାର ଏକ ତାଲିକା ଜାରି କରିଥିଲା । ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିରୋଧୀ ମେଣ୍ଟ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଯଦି ବୟକଟ୍ କରିବାର ଅଛି ତେବେ ରାହୁଲ ଗାନ୍ଧୀଙ୍କୁ ବୟକଟ୍ କରାଯାଉ । ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ ବିରୋଧୀ ମେଣ୍ଟ ଭଗବାନଙ୍କ ଉପରେ ପ୍ରଶ୍ନ କରିପାରିବ, ହେଲେ ସାମ୍ବାଦିକମାନେ ଏମାନଙ୍କୁ ପ୍ରଶ୍ନ କରିପାରିବେ ନାହିଁ ।
ଟିଭି ଆଙ୍କର୍ସଙ୍କ ଶୋ'କୁ ଦଳ ବର୍ଜନ କରିବା ପରେ ବିଜେପି ନେତା ସମ୍ବିତ ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, "ଯାହାକୁ ବାସ୍ତବରେ ବହିଷ୍କାର କରିବା ଉଚିତ ସେ ହେଉଛନ୍ତି ରାହୁଲ ଗାନ୍ଧୀ । ଆପଣ କାହାକୁ ବହିଷ୍କାର କରିବେ ? ଏହା କଣ ଥିଲା ରାହୁଲଜୀଙ୍କ ମହବତ୍ର ତାଲିକା ? ବିରୋଧୀ ମହାମେଣ୍ଟ ଏହି ୧୪ ଆଙ୍କର୍ସଙ୍କୁ ବୟକଟ୍ କରିଛି ନା ଟାର୍ଗେଟ କରିଛି ? ବିରୋଧୀ ମେଣ୍ଟ ଭଗବାନଙ୍କ ଉପରେ ପ୍ରଶ୍ନ କରିପାରିବ, ହେଲେ ସାମ୍ବାଦିକମାନେ ଏମାନଙ୍କୁ ପ୍ରଶ୍ନ କରିପାରିବେ ନାହିଁ । ଯଦି ଏହି ଲିଷ୍ଟ୍ ବିଜେପି ଜାରି କରିଥାଆନ୍ତା, ତେବେ ବଜାରରେ ଏତେ ବେଳକୁ ମହମବତୀ କମ ପଡି ସାରନ୍ତାଣି । ମହମବତୀ ବ୍ଲାକରେ ବିକ୍ରି ହେଉଥାଆନ୍ତା ।"
ଏହା ବି ପଢନ୍ତୁ- INDIA bloc Boycott TV Anchor: ମୁହଁ ଖୋଲିଲେ ଆଙ୍କର, ଭିନ୍ନଭିନ୍ନ ମତ ଦେଇ କଟାକ୍ଷ
ସେ ଆହୁରି କହିଛନ୍ତି, "ବିରୋଧୀ ମେଣ୍ଟ ବୟକଟ୍ କରିଥିବା ୧୪ ଜଣ ଆଙ୍କର୍ସ ଯେତେବେଳେ ଏମାନଙ୍କୁ ପଚାରନ୍ତି ଆପଣଙ୍କ ରାଜ୍ୟରେ ଭ୍ରଷ୍ଟାଚାର କାହିଁକି ହେଉଛି ? ଅପରାଧିକ କାର୍ଯ୍ୟର ସଂଖ୍ୟା ସଠିକ କାହିଁକି ଦର୍ଶାଯାଉନି ? ଏପରି ପ୍ରଶ୍ନ ଯେତେବେଳେ ଆଙ୍କର୍ସ ପଚାରୁଛନ୍ତି, ସେତେବେଳେ ମେଣ୍ଟ ଏମାନଙ୍କୁ ବର୍ଜନ କରୁଛି । କଣ ନେତା ଭଗବାନ କି ? ଏମାନେ ଭଗବାନଙ୍କ ଉପରେ ପ୍ରଶ୍ନ ଉଠାଇ ପାରିବେ, ହେଲେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକମାନେ ଏମାନଙ୍କୁ ପ୍ରଶ୍ନ କରିପାରିବେ ନାହିଁ ।"
ଏହା ବି ପଢନ୍ତୁ- 14 ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମ ବର୍ଜନ କରିବ ‘ଇଣ୍ଡିଆ’ ମେଣ୍ଟ
ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, "କଂଗ୍ରେସ ଓ ଘମଣ୍ଡିଆ ମେଣ୍ଟର ସଦସ୍ୟ ଗଣମାଧ୍ୟମର ସ୍ବତନ୍ତ୍ରତାକୁ ଖାତିର କରନ୍ତି ନାହିଁ । ଯଦି ଆପଣଙ୍କ ନିକଟରେ ସଠିକ ଉତ୍ତର ଅଛି ତେବେ ଆପଣ ଶୋ'କୁ ଆସନ୍ତୁ । ଆପଣ ପ୍ରଶ୍ନକୁ ଏତେ ଭୟ କରୁଛନ୍ତି କାହିଁକି ? ଏପରି ଅନେକ ଚ୍ୟାନେଲ ଅଛି ଯେଉଁଠି ବିଜେପି ବିରୋଧରେ ମଧ୍ୟ କୁହାଯାଏ । ହେଲେ ଦଳ ସେମାନଙ୍କୁ କେବେ ବୟକଟ୍ କରିନାହିଁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ