ଜୟପୁର: ଟ୍ୟାକ୍ସି ଚାଳକଙ୍କୁ 5 କୋଟିର ଟ୍ୟାକ୍ସ ପଇଠ ନୋଟିସ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏହି ଘଟଣା ଘଟିଛି ରାଜସ୍ଥାନ ବାଡମେରରେ । ଜଣେ ଯୁବକ ଟ୍ୟାକ୍ସି ଚଳାଇ ମାସକୁ 10 ହଜାର ଟଙ୍କା ରୋଜଗାର କରୁଥିବାବେଳେ ତାଙ୍କୁ 5 କୋଟିର ଟ୍ୟାକ୍ସ ଭରିବାକୁ ନୋଟିସ ଦେଇଛି ଆୟକର ବିଭାଗ । ଯୁବକ ଜଣକ ହେଉଛନ୍ତି ବାଡମେର ପନୋରିୟା ଗାଁର ଗଜେଦାନ ଚାରଣ । ଏନେଇ ପୀଡିତ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, 32.63 କୋଟି ଟଙ୍କାର ନେଣଦେଣ ପାଇଁ ଆୟକର ବିଭାଗ ପକ୍ଷରୁ ଟ୍ୟାକ୍ସି ଚାଳକଙ୍କୁ 4 କୋଟି 89 ଲକ୍ଷ ଟଙ୍କା ଟ୍ୟାକ୍ସ ଭରିବାକୁ ନୋଟିସ ଦିଆଯାଇଛି । ଯାହା ଏବେ ଯୁବକଙ୍କ ଆଖିରୁ ନିଜ ହଜାଇଛି । ଯୁବକଙ୍କ ପାନ କାର୍ଡ ବ୍ୟବହାର କରାଯାଇ ଖୋଲାଯାଇଥିବା କୌଣସି ଏକ ବ୍ୟବସାୟିକ ଆକାଉଣ୍ଟରୁ ଏକ ବଡ ଅଙ୍କର ଟ୍ରାଞ୍ଜାକ୍ସନ କରାଯାଇଛି । ଏପରିସ୍ଥଳେ ଟ୍ୟାକ୍ସି ଚଳାଇ ମାସକୁ ମାତ୍ର 10 ହଜାର ଟଙ୍କା ରୋଜଗାରରେ ପରିବାର ପୋଷୁଥିବା କହିଛନ୍ତି ଟ୍ୟାକ୍ସି ଚାଳକ । ଏପରିକି ସେ ନିଜ ଜୀବନକାଳ ମଧ୍ୟରେ ଏତେ ଟଙ୍କା କେବେ ସ୍ବପ୍ନରେ ଭାବି ନାହାନ୍ତି କି ଦେଖି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି ।
ଏଣୁ ପୀଡିତ ଟ୍ୟାକ୍ସି ଚାଳକ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ନାଁରେ ଚଞ୍ଚକତା କରି ତାଙ୍କୁ ଫସାଇ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି ବୋଲି ପୋଲିସ କହିବା ସହ କାହାକୁ ନିଜର ଆଧାର କାର୍ଡ ଓ ପାନ କାର୍ଡ ଦେଉଥିବା ସମୟରେ ସାବଧାନ ହେବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ