ବେଙ୍ଗାଲୁରୁ: ରାଜ୍ୟରେ ଝୁଲା ସରକାର ନୁହେଁ ବରଂ କଂଗ୍ରେସ ପୂର୍ଣ୍ଣ ବହୁମତରେ ସରକାର କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏକାଧିକ ବିଜେପି ନେତାଙ୍କୁ ପରାଜିତ କରି କଂଗ୍ରେସ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି । ହେଲେ ନିକଟରେ ବିଜେପି ଛାଡି କଂଗ୍ରେସ ହାତ ଧରିଥିବା ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟରଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ସେ ହୁବଲି-ଧାରଓ୍ବାଦ କେନ୍ଦ୍ରୀୟ ବିଧାନସଭା ଆସନରୁ କଂଗ୍ରେସରୁ ନିର୍ବାଚନ ଲଢିଥିବା ବିଜେପି ପ୍ରାର୍ଥୀ ମହେଶ ଟେଙ୍ଗିନକାଇଙ୍କଠାରୁ ପରାଜିତ ହୋଇଛନ୍ତି ।
ସେ ବିଜେପି ଛାଡି କଂଗ୍ରେସରେ ମିଶିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସ ଶେଟ୍ଟରଙ୍କ ମାଧ୍ୟମରେ ଲିଙ୍ଗାୟତ ଭୋଟ ହାତେଇବାରେ ସଫଳ ହେବା ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଥିଲେ । ହେଲେ ନିଜେ ଶେଟ୍ଟରଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ହେଲ ଦଳ କିନ୍ତୁ ଏକକ ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ରହିସାରିଥିବା ଶେଟ୍ଟର, ଟିକେଟ କନ୍ଦଳରୁ ବିଜେପି ଛାଡିଥିଲେ । ଦଳ ତାଙ୍କୁ ଟିକେଟ ଦେବା ପାଇଁ ମନା କରିବା ପରେ ସେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଦଳ ଛାଡିବାର ଆଭାସ ଦେଇଥିଲେ । ପ୍ରଥମେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ନିଜ ଇସ୍ତଫାର ମାତ୍ର ଗୋଟିଏ ଦିନ ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସ ତାଙ୍କୁ ସ୍ବାଗତ କରିବା ସହ ତାଙ୍କ ପାଇଁ ଦଳ ଶକ୍ତିଶାଳୀ ହେବ ବୋଲି କହିଥିଲା । କର୍ଣ୍ଣାଟକ ରାଜନୀତିରେ ସାମ୍ପ୍ରଦାୟିକ ପ୍ରଭାବ ରଖୁଥିବା ଲିଙ୍ଗାୟତ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରନ୍ତି ଶେଟ୍ଟର ।
ଏହି ବରିଷ୍ଠ ନେତା ରାଜ୍ୟ ବିଧାନସଭାକୁ ମୋଟ ୬ଥର ନିର୍ବାଚିତ ହୋଇଥିବା ବେଳେ ବର୍ଷ ୨୦୧୨ରେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରହିସାରିଥିବା ଏହି ବରିଷ୍ଠ ନେତା ହୁବଲୀ ଆସନରୁ ବିଧାୟକ ରହିଥିଲେ । ସେ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଗତ ବିଧାନସଭା ନିର୍ବାଚନ ଅର୍ଥାତ ୨୦୧୮ ମସିହାରେ ପ୍ରାୟ ୨୧ ହଜାର ଭୋଟ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ମହେଶ ନଲଓ୍ବାଡଙ୍କୁ ପରାଜିତ କରିଥିଲେ ।
ଖବର ଲେଖାଯିବା ସୁଦ୍ଧା କଂଗ୍ରେସ 60 ଆସନରେ ଜିତି ସାରିଥିବା ବେଳେ 71 ଆସନରେ ଆଗରେ ରହିଛି । ଭାରତୀୟ ଜନତା ପାର୍ଟି ମାତ୍ର 26 ଆସନରେ ଜିତିଥିବା ବେଳେ 39 ଆସନରେ ଆଗରେ ରହିଛି । ବରିଷ୍ଠ ନେତା ସିଦ୍ଧରମୈୟା 120 ଆସନ ସହ ସରକାର କରିବାକୁ ଯାଉଥିବା ଏବେ ମଧ୍ୟ ଦାବି ଜାରି ରଖିଛନ୍ତି । ଅପରାହ୍ନ ସୁଦ୍ଧା ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ