ଲକ୍ଷ୍ନୌ: ଭାରତୀୟ ପ୍ରୋଦୌଗିକ ସଂସ୍ଥାନ, କାନପୁର (IIT Kanpur)ର 54ତମ ଦୀକ୍ଷାନ୍ତ ଉସ୍ତବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ଆବଶ୍ୟକତା ଅନୁସାରେ ଛାତ୍ର ଏବଂ ଯୁବଶକ୍ତିକୁ ଟେକ୍ନୋଲୋଜିରେ ଉନ୍ନତି କରିବାକୁ ହେବ କିନ୍ତୁ ମାନବ ଉପାଦାନକୁ ଭୁଲିଯିବା ଉଚିତ ନାହିଁ । ଟେକ୍ନୋଲୋଜିର ନିଜସ୍ୱ ଶକ୍ତି ଅଛି, କିନ୍ତୁ ଛାତ୍ର ତଥା ଯୁବଶକ୍ତି ମାନବ ଉପାଦାନକୁ ଭୁଲିଯାଇ ରୋବର୍ଟିକ ସଂସ୍କରଣରେ ପରିଣତ ହେବା ନିଶ୍ଚୟ ନିରର୍ଥକ । ବର୍ତ୍ତମାନ ସମୟରେ କୃତ୍ରିମ ବୁଦ୍ଧିମତା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କିନ୍ତୁ ମାନବୀୟ ବୁଦ୍ଧିମତାକୁ ମଧ୍ୟ ଅନୁରୂପ ଗୁରୁତ୍ୱ ଦିଆଯିବାର ଆବଶ୍ୟକ ରହିଛି ବୋଲି ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଆମେ ଏକ ଗାରିମାମୟ ସମୟ ଦେଇ ଗତି କରୁଛୁ । ଦେଶ ଯେତେବେଳେ ଭାରତ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ଯାଉଛି, ସେତେବେଳେ ଆମେ ସମସ୍ତେ ଏହାର ଏକ ଅଂଶ ହେବା ଏକ ଗୌରବର ବିଷୟ । ସେହିପରି ଗତ ୭ ବର୍ଷର ସଫଳତାର କଥା ମଧ୍ୟ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ଗତ ସାତ ବର୍ଷ ମଧ୍ୟରେ ଷ୍ଟାର୍ଟଅପ୍, ଷ୍ଟାଣ୍ଡ ଅପ୍ ଏବଂ ଅଟଳ ଇନୋଭେସନ୍ ମିଶନ ଭାରତକୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଛି । ଆଜି 50,000 ଷ୍ଟାର୍ଟଅପ୍ ସହ ଭାରତ ବିଶ୍ବରେ ଦ୍ୱିତୀୟ ବୃହତ୍ତମ ଦେଶ ଏବଂ 75 ଟି ୟୁନିକର୍ଣ୍ଣ ସହିତ ତୃତୀୟ ସ୍ଥାନରେ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଆଜି ପ୍ରାୟ ପ୍ରତ୍ୟେକ କ୍ଷେତ୍ର ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ବଡ ଅବସର ମଧ୍ୟ ଦେଇପାରିବ । ଛାତ୍ରଛାତ୍ରୀ ତଥା ଯୁବପିଢିଙ୍କର ସଫଳତା ଦେଶକୁ ଦିଗ ଏବଂ ଗତି ଦେଇପାରିବାରେ ସର୍ବଦା ଏକ ପ୍ରମୁଖ ଭମିକା ଗ୍ରହଣ କରିଛି । ସେହିପରି ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ବାଧୀନ ସରକାର ଛାତ୍ରଛାତ୍ରୀ ତଥା ଯୁବପିଢିଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ