ରାଞ୍ଚି: ସ୍ବାମୀ ପାଲଟିଲା ସଇତାନ । ୫ହଜାର ଟଙ୍କା ସୁପାରି ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ (Husband killed his wife in Chaibasa)। ପଥରରେ ଛେଚି ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ କୂଅରୁ ଉଦ୍ଧାର ହେଲା ମୃତଦେହ । ଏଭଳି ହତ୍ୟାକାଣ୍ଡ ଘଟିଛି ଝାଡଖଣ୍ଡର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଚାଇବାସା ଗ୍ରାମରେ । ଏନେଇ ଥାନାରେ ଅଭିଯୋଗ ପରେ ମୃତ ମହିଳାଙ୍କ ସ୍ବାମୀ, ତାଙ୍କ ପ୍ରଥମ ସ୍ତ୍ରୀ ଓ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଚାଇବାସା ନିକଟସ୍ଥ ବାସାଟୋଣ୍ଟୋ ଗାଁର ସୋମୱାରୀ ବାନରା ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨ ତାରିଖରୁ ମହିଳା ଜଣଙ୍କ ନିଖୋଜ ଥିଲେ । ଏହାପରେ ଗତକାଲି କର୍ଲାଜୋଡି ଗ୍ରାମର ଏକ କୂଅରେ ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀ ମୁଫାସିଲ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କ ମୁହଁକୁ ପଥରେ ଅଭିଯୁକ୍ତ ଛେଚି ଦେଇଥିବାରୁ ମୃତଦେହ ଚିହ୍ନଟ କରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା । ଏହାପରେ ମହିଳାଙ୍କୁ ଚିହ୍ନଟ କରାଯିବା ପରେ ମୃତକଙ୍କ ମାଆ ହତ୍ୟା ଅଭିଯୋଗ ଆଣିଥିଲେ ।
ଏହି ଘଟଣାରେ ପୋଲିସ ତଦନ୍ତ କରି ମୃତ ମହିଳାଙ୍କ ସ୍ବାମୀକୁ ପଚରା ଉଚରା କରିବା ପରେ ମୋଟ ୪ଜଣଙ୍କୁ ଗିରଫ କରିଥିଲା । ୪ ଅଭିଯୁକ୍ତ ହେଉଛନ୍ତି ମୃତ ମହିଳାଙ୍କ ସ୍ୱାମୀ ଚୋକ୍ରୋ ବାନରା ଏବଂ ତାଙ୍କର ପ୍ରଥମ ପତ୍ନୀ ସୁନୀତା ବାନରା, ରବି ରୋଶନ ଓ କମଲେଶ ଭୁତିଆ । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟରେ ଚାଲାଣ କରାଯାଇଛି । ଚୋକ୍ରୋ ବାନରା ୨ଜଣଙ୍କୁ ବିବାହ କରିଥିଲେ । କିନ୍ତୁ ଅନେକ ସମୟରେ ସେ ତାଙ୍କ ପ୍ରଥମ ପତ୍ନୀ ସୁନୀତା ବାନରା ସହ ମିଶି ଦ୍ବିତୀୟ ପତ୍ନୀଙ୍କୁ ଅନେକ ସମୟରେ ନିର୍ଯାତନା ଦେଉଥିଲେ । ଶେଷରେ ଦ୍ବିତୀୟ ସ୍ତ୍ରୀକୁ ରାସ୍ତାରୁ ହଟାଇବାରୁ ୫ହଜାର ଟଙ୍କାର ସୁପାରି ଦେଇ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ ।