ଅକ୍ସଫୋର୍ଡ-ଆସ୍ତ୍ରାଜେନେକା ହେଉଛି ଏକ କୋଭିଡ-19 ଟିକା ଯାହାର ଏକ ସଂସ୍କରଣ ଭାରତରେ ମଧ୍ୟ ବ୍ୟବହାର କରାଯାଉଛି । ଶିମ୍ପାଜିର ପୁପରୁ ବାହାରୁଥିବା ଆଡେନୋଭାଇରସ ବ୍ୟବହାର କରି ଏହା ପ୍ରସ୍ତୁତ ହୋଇଥାଏ। ଜେନେଟିକ ସ୍ତରରେ ଏହାର ଏପରି ପରିବର୍ତ୍ତନ କରାଯାଇଥାଏ ଯେ ଏହା ମଣିଷ ଦେହରେ ବଢିବା ଅସମ୍ଭବ ହୋଇଥାଏ । ବର୍ତ୍ତମାନ କୋଭିଡ-19 ଟିକା ଆସ୍ତ୍ରାଜେନେକା ଭାବେ ପରିଚିତ ଏହାକୁ ପୂର୍ବରୁ AZD1222 କୁହାଯାଉଥିଲା ।
AZD1222କୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଏହାର ସହଯୋଗୀ କମ୍ପାନି ଭ୍ୟାକ୍ସିଟେକ୍ ମିଳିତ ଭାବେ ଆବିଷ୍କାର କରିଥିଲେ । ଭାଇରାଲ ଭେକ୍ଟର ଆଧାରରେ ଶିମ୍ପାଞ୍ଜି ଦେହରେ ଛଡାଯାଇଥିବା ଏକ ସାଧାରଣ ଥଣ୍ଡା ଭାଇରସ (ଆଡେନୋଭାଇରସ)ର ଏକ ପ୍ରତିକୃତି ଟିକାରେ ବ୍ୟବହାର କରାଯାଇଥିଲା, ଯେଉଁଥିରେ କି SARS-CoV-2 ଭାଇରସ ସ୍ପାଇକ୍ ପ୍ରୋଟିନର ଜେନେଟିକ୍ ସାମଗ୍ରୀ କ୍ଷମତା ରହିଛି ।
ଏହି ଟିକା ନେବା ପରେ ଶରୀରରେ ସର୍ଫେସ ସ୍ପାଇକ ପ୍ରୋଟିନ ଉତ୍ପନ୍ନ ହୋଇଥାଏ ଯାହାକି ପ୍ରତିରୋଧକ ବ୍ୟବସ୍ଥାକୁ ବଢାଇଥାଏ । ଯାହାକି ପରେ ଯଦି SARS-CoV-2 ଜୀବାଣୁ ଶରୀରକୁ ଆକ୍ରମଣ କରେ ତାହାକୁ ଶରୀରରେ ବଢିଥିବା ଇମ୍ୟୁନ ସିଷ୍ଟମ ଦୁର୍ବଳ କରିଦିଏ ।
ତେବେ ଏହି ଟିକାକୁ ବ୍ୟବହାର ପାଇଁ ଛଅଟି ମହାଦେଶର 70ରୁ ଅଧିକ ରାଷ୍ଟ୍ରରେ କେବଳ ଜରୁରୀ ପରିସ୍ଥିତିରେ ବ୍ୟବହାର ଏବଂ ଏହାର ମାର୍କେଟିଂ ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଥିଲା । ଏବେ ବିଶ୍ବର ସର୍ବାଧିକ ପରିମାଣ ଅକ୍ସଫୋର୍ଡ-ଆସ୍ତ୍ରାଜେନେକା କୋଭିଡ-19 ଟିକା ନିର୍ମାଣ କରୁଛି ଭାରତର ସେରମ୍ ଇନଷ୍ଟିଚ୍ୟୁଟ (ଏସଆଇଆଇ) । ଭାରତରେ ଏହି ଟିକାର ନାମ ରଖାଯାଇଛି 'କୋଭିସିଲଡ' ।
କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରୁ ଏହାର ମୁକାବିଲା ଉଦ୍ୟମରେ ଭାରତ ଆରମ୍ଭ କରିଥିବା ଟୀକାକରଣ ଅଭିଯାନକୁ ଏବେ ତ୍ବରାନ୍ବିତ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 3 ହଜାର 558 ଜଣ ନୂଆ କରୋନା ଭାଇରସ ଘଟଣା ପଂଜୀକୃତ ହୋଇଛି ।
ଯାହାକି ଗତବର୍ଷ ମହାମାରୀ ଆରମ୍ଭ ହେବା ପରଠାରୁ ଗୋଟିଏ ଦିନରେ ଏତେସଂଖ୍ୟାରେ ସଂକ୍ରମଣ ହେବା ସର୍ବାଧିକ । ଗତ ସୋମବାର ଦିନ ଯାଏଁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଥିଲା 1 କୋଟି 25 ଲକ୍ଷ 89 ହଜାର 67ରେ । ସୋମବାର ଦିନ 478 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା 1 ଲକ୍ଷ 65 ହଜାର 101କୁ ବୃଦ୍ଧି ପାଇଛି ।
ସରକାରୀ ତଥ୍ୟ ଅନୁଯାୟୀ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 1 କୋଟି 16 ଲକ୍ଷ 82 ହଜାର 136 ଥିବା ବେଳେ ମୃତ୍ୟୁହାର 1.31 ପ୍ରତିଶତରେ ରହିଛି । କୋଭିସିଲଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ ଅନୁମୋଦିତ ହେବା ପରେ ଜାନୁଆରୀ 16ରୁ ଭାରଦରେ ଟୀକାଦାନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଏଯାଏଁ 7.91 କୋଟି କୋରୋନା ଟିକା ଦିଆଯାଇଛି ।
ପ୍ରଥମେ ଜାନୁଆରୀ 16ରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏହା ପରେ ପରେ ଫେବ୍ରୁଆରି 2ରୁ କୋରୋନା ଫ୍ରଣ୍ଟଲାଇନ ଯୋଦ୍ଧାଙ୍କୁ ଏବଂ ପରେ 60ରୁ ଅଧିକ ବୟସ୍କ ଏବଂ ପରେ ମାର୍ଚ୍ଚ ପହିଲାରୁ 45ରୁ 59 ବର୍ଷ ବୟସ୍କ ବିଭିନ୍ନ ରୋଗରେ ପୀଡିତଙ୍କୁ ଟିକା ଦିଆଗଲା । ଏହାପରେ ଏପ୍ରିଲ ପହିଲାରୁ 45 ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକା ଦିଆଯିବା ଆରମ୍ଭ ହୋଇଯାଇଛି ।
(ଆଇଏଏନଏସ)