ଭୋପାଳ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ଏକ ଘୋଡାକୁ ନେଇ ସୃଷ୍ଟି ହୋଇଛି ବିବାଦ । ବିଜେପି ରଙ୍ଗରେ ସମ୍ପୂର୍ଣ୍ଣ ରଙ୍ଗେଇ ହୋଇଥିଲା ଘୋଡା । ଏହାକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
ଇନ୍ଦୋରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ ଆଶୀର୍ବାଦ ଯାତ୍ରା ବାହାରିଥିଲା । ଏଥିରେ ସାମିଲ ଏକ ଘୋଡା ଦେହରେ ବିଜେପି ପତାକା ରଙ୍ଗ ବୋଳାଯାଇଥିବା ଦେଖିବାକୁ ମିଳିଛି । ଘୋଡାର ଫଟୋ ଭାଇରାଲ ହେବା ପରେ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ସଂସ୍ଥା 'ପିପୁଲ ଫର ଆନିମଲ' ପଶୁଙ୍କ ଉପରେ କ୍ରୁରତା ଅଧିନିୟମର ଧାରା ଅନୁଯାୟୀ ମାମଲା ରୁଜୁ ପାଇଁ ଥାନାରେ ଏତଲା ଦାଏର କରିଛନ୍ତି ।
ସେପଟେ ଘଟଣାକୁ ନେଇ ଅତିରିକ୍ତ ଏସପି କହିଛନ୍ତି, ମାମଲାର ତଦନ୍ତ କରାଯାଉଛି । 'ପିପୁଲ ଫର ଆନିମଲ' ସଦସ୍ୟ ଏନେଇ ଅଭିଯୋଗ କରିଥିଲେ । ମେନକା ଗାନ୍ଧୀଙ୍କ ପକ୍ଷରୁ ବର୍ତ୍ତମାନ ଯାଏଁ କୌଣସି ଅଭିଯୋଗ ଆସିନାହିଁ ।