ନୂଆଦିଲ୍ଲୀ: ଏଣିକି ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ପିଲାଙ୍କ ସୁରକ୍ଷାକୁ ମଜଭୁତ କରିବା ନିମନ୍ତେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନୂଆ ମୋଟର ନିୟମ ଘୋଷଣା କରାଯାଇଛି । ଏହି ନୂଆ ନିୟମରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯେଉଁ ମୋଟର ସାଇକେଲ ବା ସ୍କୁଟରରେ ୪ ବର୍ଷରୁ କମ ବୟସର ପିଲା ବସିଥିବେ ତାହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟରରୁ ଅଧିକ ହେବ ନାହିଁ ।
ଏହା ସହିତ ସେମାନଙ୍କ ସୁରକ୍ଷାଲାଗି ସେଫ୍ଟି ହାର୍ଣ୍ଣେସ ବେଲଟର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ନିୟମ ୧୩୮ରେ ସଂଶୋଧନ କରି ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ନିରାପତ୍ତା ନିୟମାବଳୀ ଧାର୍ଯ୍ୟ କରାଯାଇଛି ।
ଯଦି 4 ବର୍ଷରୁ କମ ବୟସ୍କ ପିଲା ଦୁଇଚକିଆ ଯାନରେ ଯାତ୍ରା କରୁଛନ୍ତି ତେବେ କ୍ରାସ ହେଲମେଟ ପିନ୍ଧିବା ନିହାତି ଆବଶ୍ୟକ ଅଟେ । ନିୟମର ଉଲ୍ଲଙ୍ଘନ କଲେ ଲାଇଲେନ୍ସ ବାତିଲ ହେବା ସହ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ । ଏହି ନିୟମ 2023 ଫେବୃଆରି 15ରୁ ଲାଗୁ କରାଯିବ ।