ରାୟପୁର: ନିଷ୍ଠୁର ନିୟତିର କ୍ରୁର ଉପହାସ । ସାଥୀ ହୋଇ ସଂସାର ଗଢ଼ିବା ଆଗରୁ ଉଠିଗଲା ସ୍ବାମୀର କୋକେଇ । ପୁଅର ବିବାହ ପାଇଁ ଯେଉଁ ଘରେ ଆନନ୍ଦ ଉଲ୍ଲାଶର ପରିବେଶ ଥଲା, ସେଠାରେ ଶୁଭୁଛି ମୃତ୍ୟୁ ପରର କାନ୍ଦ ବୋବାଳି । ବିବାହରେ ଉପହାର ଆକାରରେ ମିଳିଥିବା ହୋମ ଥିଏଟରକୁ ବିଦ୍ୟୁତ ସହ ସଂଯୋଗ କରିବା ବେଳେ ହଠାତ ବିସ୍ଫୋରଣ ଘଟି ବରର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଛତିଶଗଡ଼ର କବର୍ଦ୍ଧା ଜିଲ୍ଲାରେ ଏଭଳି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ।
କବର୍ଦ୍ଧା ଜିଲ୍ଲାର ରେଙ୍ଗାଖାର ଥାନା ଅନ୍ତର୍ଗତ ଚମାରି ଗ୍ରାମର ହେମେନ୍ଦ୍ର ମେରାବିଙ୍କ ଗତ ଦୁଇଦିନ ପୂର୍ବେ ବିବାହ ହୋଇଥିଲା । ବିବାହ ପାଇଁ ଘରେ ଆନନ୍ଦ ଉଲ୍ଲାସର ପରିବେଶ ଥିଲା । ପରିବାରରେ ସମସ୍ତେ ବସି ବିବାହରେ ମିଳିଥିବା ଉପହାର ଗୁଡ଼ିକଖୋଲି ଦେଖୁଥିଲେ । କିନ୍ତୁ କିଏ ଜାଣେ, ମୃତ୍ୟୁ କେତେବେଳେ ଆସେ । ଉପହାର ଆକାରରେ ମିଳିଥିବା ହୋମ ଥିଏଟରକୁ ବିଦ୍ୟୁତ ସହ ସଂଯୋଗ କରିବା ପାଇଁ ହେମେନ୍ଦ୍ର ସୁଇଚ ମାରିଥିଲେ । ଏହାପରେ ସବୁକିଛି ଶେଷ ହୋଇଗଲା । ସୁଇଚ ମାରିବା କ୍ଷଣି ହୋମ ଥିଏଟରଟି ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ହେମେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ, ଘରର ଚାଳ ଉଡ଼ିଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ପତ୍ନୀକୁ ରାସ୍ତାରୁ ହଟାଇବା ପାଇଁ ସ୍ବାମୀର ଯୋଜନା, ସେଲଫି ନେବାକୁ କହି ପାହାଡ଼ରୁ ଠେଲିଦେଲା
ଘଟଣାନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇଁ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପାଖ ଘରୁ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଆସି ଦେଖିବା ପରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା । ବିସ୍ଫୋରଣରେ ଘରର ଛାତ ଉଡ଼ିଯାଇଥିଲା ।
ଅନ୍ୟପଟେ ଘଟଣା ସମ୍ପର୍କରେ ଜିଲ୍ଲା ଏସପି ମନୀଷା ଠାକୁର ସୂଚନା ଦେଇ କହିଛନ୍ତି, ରେଙ୍ଗାଖାର ଥାନା ଅନ୍ତର୍ଗତ ଚମାରି ଗ୍ରାମରେ ହୋମ ଥିଏଟର ଯୋଗୁଁ ବିସ୍ଫୋରଣ ଘଟିଛି । ବରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।