ନୂଆଦିଲ୍ଲୀ: ମଙ୍ଗଳବାର ଗଣତନ୍ତ୍ର ଦିବସର ପରେଡରେ ବାଂଲାଦେଶ ଦେଶର ସୈନିକ ଭାରତୀୟ ସୈନିକଙ୍କ ସହ ମିଶି ରାଜଧାନୀ ଦିଲ୍ଲୀର କଦମତାଲ କରିବେ । ପରେଡରେ ଅଂଶଗ୍ରହଣ କରୁଥିବା ବାଂଲାଦେଶୀ ସୈନିକଙ୍କ ନେତୃତ୍ବ ନେବେ କର୍ଣ୍ଣେଲ ମହତଶିମ ହେଦର ଚୌଧରୀ । ଏହି ପରେଡରେ ଅଂଶଗ୍ରହଣ କରିବା ବାଂଲାଦେଶୀ ସୈନ୍ୟମାନଙ୍କ ପାଇଁ ଏକ ବଡ ଦାୟିତ୍ବ ସହ ସେମାନେ ବହୁତ ଉତ୍ସାହିତ ଥିବା କର୍ଣ୍ଣେଲ ଚୌଧୁରୀ କହିଛନ୍ତି ।
ବଙ୍ଗବନ୍ଧୁ ଶେଖ ମୁଜିବର ରେହମାନଙ୍କ 100ତମ ଜନ୍ମଜୟନ୍ତୀ ହୋଇଥିବା ବେଲେ ବାଂଲାଦେଶୀମାନେ ସ୍ବାଧୀନତାର 50 ବର୍ଷ ପାଳିବାକୁ ଯାଉଛନ୍ତି । ଏହାସହିତ ଭାରତର 72ତମ ଗଣତାନ୍ତ୍ରିକ ଦିବସର ପରେଡରେ ସେମାନେ ଅଂଶଗ୍ରହଣ କରିବାକୁ ଯାଉଥିବାରୁ 2021 ବର୍ଷ ବାଂଲାଦେଶୀ ସୈନିକଙ୍କ ପାଇଁ ସ୍ବତନ୍ତ୍ର ବୋଲି ବାଂଲାଦେଶୀ କଣ୍ଟିଜେଣ୍ଟ ତଥା କର୍ଣ୍ଣେଲ ଚୌଧରୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ପରେଡରେ ଅଂଶଗ୍ରହଣ କରିବା ଦ୍ବାରା ସେମାନଙ୍କୁ ଏକ ବଡ଼ ଦାୟିତ୍ବ ଦିଆଯାଇଥିବା ଭଳି ସେମାନେ ଅନୁଭବ କରୁଛନ୍ତି ଏବଂ ସେମାନେ ପରେଡରେ ଉତ୍ତମ ପ୍ରଦର୍ଶନ କରିବେ । ଏହା ବାଂଲାଦେଶୀ ସୈନିକଙ୍କ ପାଇଁ ଏକ ଉତ୍ତମ ଅଭିଜ୍ଞତା ହେବାକୁ ଯାଉଥିବା ବେଳେ ଭାରତୀୟ ସୈନିକଙ୍କ ମାର୍ଚ୍ଚ ସହିତ ସେମାନଙ୍କ ମାର୍ଚ୍ଚ ସମାନ ଥିବାରୁ ସେମାନେ ଭାଗ୍ୟବାନ ବୋଲି ସେ ସୋମବାର କହିଛନ୍ତି ।
ବାଂଲାଦେଶର 2 କଣ୍ଟିଜେଣ୍ଟ ଭାଗ ଭାଗ ହୋଇ ସ୍ଥଳବାହିନୀ, ବାୟୁ ସେନା ଓ ନୌସେନାଙ୍କ ସହିତ ମିଶି ମଙ୍ଗଳବାର ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିବେ । ବାଂଲାଦେଶର ବ୍ୟାଣ୍ଡ କଣ୍ଟିଜେଣ୍ଟ ବା ବ୍ରାସ କଣ୍ଟିଜେଣ୍ଟ ପରେଡରେ ଭାଗ ନେବାକୁ ଯାଉଛନ୍ତି । ସେମାନେ ମାର୍ଚ୍ଚରେ ବାଦ୍ୟଯନ୍ତ୍ର ବ୍ୟବହାର କରିବେ ବୋଲି ସେ କହିଛନ୍ତି । ଚଳିତବର୍ଷ ପରେଡରେ 122 ବାଂଲାଦେଶୀ ସୈନ୍ୟ ଭାଗ ନେବାକୁ ଯାଉଛନ୍ତି ।
ଏହି 122 ଜଣଙ୍କ ମଧ୍ୟରୁ ପୂର୍ବ ବଙ୍ଗ ରେଜିମେଣ୍ଟର 1, 2, 3, 4, 8, 9,10 ଓ 11ର ସୈନ୍ୟମାନେ ସାମିଲ ହେବାକୁ ଥିବା ବେଳେ ଫିଲ୍ଡ ଆର୍ଟିଲେରୀର 1, 2 ଓ 3ର ସୈନ୍ୟମାନେ ସାମିଲ ହେବେ । ଏହି ସୈନ୍ୟମାନେ 1971 ମସିହାରେ ହୋଇଥିବା ମୁକ୍ତି ଯୁଦ୍ଧରେ ବୀରତ୍ବର ସହିତ ଲଢିଥିଲେ । ଚଳିତ ବର୍ଷ ଭାରତ ଓ ବାଙ୍ଗଲାଦେଶ ସେମାନଙ୍କ 50 ବର୍ଷର ବନ୍ଧୁତ୍ବକୁ ପାଳନ କରିବାକୁ ଯାଉଛନ୍ତି । ଭାରତୀୟ ସୈନ୍ୟ ବାହିନୀ ପରେ ବାଙ୍ଗଲାଦେଶର ସୈନ୍ୟ ବାହିନୀଙ୍କ ମଧ୍ୟରେ ମହିଳା ସୈନ୍ୟଙ୍କୁ ମଧ୍ୟ ସାମିଲ କରାଯାଉଛି । ବିଶ୍ବରେ ବାଙ୍ଗଲାଦେଶ ସୈନ୍ୟ ବାହିନୀ ଶୃଙ୍ଖଳିତ ଓ ପେସାଦାର ଫୋର୍ସ ଭାବେ ପରିଚିତ ।
@ANI