ନୂଆଦିଲ୍ଲୀ: ସଶସ୍ତ୍ର ବଳରେ ଯୁବଶକ୍ତିଙ୍କ ନିଯୁକ୍ତି ପାଇଁ ଅଗ୍ନିପଥ "Agnipath" ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ତିନି ସେନା ଯଥା ସ୍ଥଳସେନା, ବାୟୁସେନା ଓ ନୌସେନାରେ ଏହି ନିଯୁକ୍ତି ସୁଯୋଗ ପାଇବେ ଦେଶର ଯୁବକ ଓ ଯୁବତୀ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ସେନାମୁଖ୍ୟଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଏହି ଯୋଜନାରେ ପ୍ରାୟ 40 ହଜାରରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ସେନାରେ ଭର୍ତ୍ତି ହେବାର ସୁଯୋଗ ପାଇବେ । ଏହି ନିଯୁକ୍ତି ସ୍ବଳ୍ପ ଅବଧି ବିଶିଷ୍ଟ ଓ ଚୁକ୍ତିଭିତ୍ତିକ ରହିବ । କେନ୍ଦ୍ର କ୍ୟାବିନେଟ ସୁରକ୍ଷା କମିଟି (Cabinet Committee on Security) ଏହି ପ୍ରସ୍ତାବ ଉପରେ ମୋହର ମାରିବା ପରେ ଏହି ନିଯୁକ୍ତି ପ୍ରକ୍ରିୟାକୁ ଏକ ଯୋଜନା ଆଧାରରେ ଶୁଭାରମ୍ଭ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ । ଆଜି ଏହାକୁ ଶୁଭାରମ୍ଭ କରାଯାଇଛି । ସେନାକୁ ଯୁବଶକ୍ତିର ଏକ ଝଲକ ମିଳିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଆଜି କାର୍ଯ୍ୟକ୍ରମ ଅବସରରେ କହିଛନ୍ତି ।
ନିଯୁକ୍ତିରେ ଏକ ଭଲ ପେ-ପ୍ୟାକେଜ ଓ ଅବସରକାଳୀନ ପ୍ୟାକେଜ ମଧ୍ୟ ପ୍ରଦାନ କରିବ । ଏହି ଯୋଜନାରେ ସେନାରେ ଭର୍ତ୍ତି ସୁଯୋଗ ପାଇବାକୁ ଥିବା ଯୁବ ଯୋଦ୍ଧାଙ୍କୁ ‘ଅଗ୍ନିବୀର’ ଭାବେ ବର୍ଣ୍ଣନା କରାଯାଇଛି । ସେମାନେ ଭାରତର ନୂତନ ତଥା ଯୁବ ରକ୍ଷକ ହେବେ ।
ସେହିପରି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ଏହି ଯୋଜନା କେବଳ ଯୁବଶକ୍ତିଙ୍କୁ ସେନାରେ ସାମିଲ ହୋଇ ଦେଶସେବାର ସୁଯୋଗ ଦେବନାହିଁ ବରଂ ସେନାରେ ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ସହଯୋଗ କରିବ । ନୂତନ ଭାବେ ଭର୍ତ୍ତି ହୋଇଥିବା ଯୁବ ଶକ୍ତି ଓ ଅଭିଜ୍ଞ ସେନାଧିକାରୀଙ୍କ ମଧ୍ୟରେ କାର୍ଯ୍ୟଭାର ନେଇ ସନ୍ତୁଳନ ମଧ୍ୟ ରକ୍ଷା କରିବ ।
ଅଗ୍ନିପଥ ଯୋଜନାର ସାରାଂଶ:-
- ତିନି ସେନାରେ ଭର୍ତ୍ତି ହେବେ ସୋଲଜର, ଏୟାରମ୍ୟାନ ଓ ସେଲର
- ପ୍ରଶିକ୍ଷଣ ସମେତ ମୋଟ ସେବା ଅବଧି 4 ବର୍ଷ ରହିବ
- ଏହି ଯୋଜନାରେ ଭର୍ତ୍ତି ଯବାନଙ୍କୁ ଅଗ୍ନିବୀର କୁହାଯିବ
- 4 ବର୍ଷ ସେବା ଅବଧି ପୂରଣ ପରେ 25 ପ୍ରତିଶତ ଯବାନ ଯୋଗ୍ୟତା ଆଧାରରେ ନିୟମିତ ହେବେ
- ଅନ୍ୟ 75 ପ୍ରତିଶତ ଅବସରପ୍ରାପ୍ତ ଯବାନଙ୍କୁ ସେବାନିଧି “Seva Nidhi” ମିଶନରେ କାର୍ଯ୍ୟକ୍ଷମ କରାଯିବା ନେଇ ଏକାଧିକ ଯୋଜନା ରହିଛି
- ନିୟମିତ ଅଗ୍ନିବୀରମାନେ ଆଗାମୀ 15 ବର୍ଷ ସେବାରେ ରହିବେ
- ଅଗ୍ନିବୀରଙ୍କ ବୟସ 17.5ରୁ 21 ବର୍ଷ ରହିବ ବେତନ 30 ହଜାର ରହିବ
- ଚଳିତ ବର୍ଷ ନିଯୁକ୍ତି ପାଇବେ 46 ଅଗ୍ନିବୀର
- ତାଲିମ ଅବିଧି 90 ଦିନ ହୋଇପାରେ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ