ଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀର ଏବେ ସର୍ବେସର୍ବା ହେଲେ ଉପରାଜ୍ୟପାଳ । କାର୍ଯ୍ୟକାରୀ ହେଲା ‘ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧିତ) ଆଇନ 2021’ । ଏଣିକି ଦିଲ୍ଲୀରେ ସରକାରର ଅର୍ଥ ଉପରାଜ୍ୟପାଳ । ଆଜି ଏସମ୍ପର୍କରେ ଜାରି ହୋଇଛି ବିଜ୍ଞପ୍ତି ।
କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ‘ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ’ (ସଂଶୋଧିତ) ଆଇନ 2021 ଗତକାଲି ( 27 ଏପ୍ରିଲ) ରୁ କାର୍ଯ୍ୟକାରୀ ହୋଇଥିବା ଅଧିସୂଚନା ରହିଛି । ଫଳରେ ଏଣିକି ନିର୍ବାଚିତ ସରକାର ନିଜ ଇଛାରେ କୌଣସି ନିଷ୍ପତି ନେଇପାରିବେ ନାହିଁ କି କାର୍ଯ୍ୟକାରୀ କରିପାରିବେ ନାହିଁ । ଯେକୌଣସି ନିଷ୍ପତି ନେବା ପୂର୍ବରୁ (ଏଲଜି) ଉପ-ରାଜ୍ୟପାଳଙ୍କ ଅନୁମତି ବାଧ୍ୟତାମୂଳକ ।
କଣ ରହିଛି ଆଇନ?
ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ’ (ସଂଶୋଧିତ) ଆଇନ 2021 ଅନୁସାରେ, 1991 ସେକସନ 21 ରେ ଏକ ଅନୁଚ୍ଛେଦ ଯୋଡାଯାଇଛି। ନିୟମ ଅନୁସାରେ ଦିଲ୍ଲୀ ବିଧାନସଭାରେ ଯେକୌଣସି ବିଲ ପାରିତ ହେବା ପରେ ଉପ- ରାଜ୍ୟପାଳଙ୍କ ନିକଟ ପଠାଯିବ । ଉପ-ରାଜ୍ୟପାଳ ହିଁ ନିଷ୍ପତି ନେବେ ବିଲକୁ ନେଇ କଣ ହେବ । ସେହିପରି ଏବେ ଦିଲ୍ଲୀ ସରକାରଙ୍କୁ ବିଧେୟକ ପ୍ରସ୍ତାବ ଅତିକମରେ 15 ଦିନ ପୂର୍ବରୁ ଓ ପ୍ରଶାସନିକ ପ୍ରସ୍ତାବ ଅତିକମରେ 7 ଦିନ ପୂର୍ବରୁ ଉପ-ରାଜ୍ୟପାଳଙ୍କୁ ପାଖକୁ ପଠାଇବାକୁ ପଡିବ ।
ଆଇନକୁ ନେଇ ଖପ୍ପା କେଜ୍ରିୱାଲ
‘ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ’ (ସଂଶୋଧିତ) ଆଇନ 2021 କୁ ନେଇ କେନ୍ଦ୍ର ସରକାରଙ୍କକୁ କଡା ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି ଆଇନରେ ଲେଖା ଅଛି ସରକାର ଯେକୌଣସି କାର୍ଯ୍ୟକ୍ରମ କରିବେ ଏଲଜିଙ୍କ ଅନୁମତି ନେବା ଜରୁରୀ । ତେବେ ନିର୍ବାଚିତ ସରକାର କରିବେ କଣ? ଦିଲ୍ଲୀ ଜନତାଙ୍କ କାମ କିପରି ହେବ? ଦେଶର ଜନତାଙ୍କ କଣ ହେବ? ଯଦି ଦିଲ୍ଲୀ ସରକାରଙ୍କ ଅର୍ଥ ଉପ-ରାଜ୍ୟପାଳ ତେବେ ଦିଲ୍ଲୀରେ କାହିଁକି ନିର୍ବାଚନ କରାଗଲା ବୋଲି କେଜ୍ରିୱାଲ ପ୍ରଶ୍ନ ଉଠାଇଛନ୍ତି ।
ଆପର ଅଭିଯୋଗ...
ସେହିପରି ଆମ ଆଦମୀ ପାର୍ଟି କହିଛି 2018 ରେ ସର୍ବୋଚ୍ଚ ଅଦାଲତଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି, ଦିଲ୍ଲୀ ସରକାରର ଅର୍ଥ ଲୋକତାନ୍ତ୍ରିକ ଭାବେ, ଜନତାଙ୍କ ଦ୍ବାରା ନିର୍ବାଚିତ ସରକାର । ଯାହାର ନେତୃତ୍ବ ଓ ନିଷ୍ପତି ମୁଖ୍ୟମନ୍ତ୍ରୀ ନେବେ ଉପ-ରାଜ୍ୟପାଳ ନୁହଁନ୍ତି । କୋର୍ଟ ଆହୁରି କହିଛନ୍ତି ପୋଲିସ, ଆଇନ ଶୃଙ୍ଖଳା ଓ ଜମି ଏହି 3 ଟି ବିଷୟକୁ ବାଦ ଦେଇ ଅନ୍ୟ ସମସ୍ତ ପ୍ରସଙ୍ଗରେ ଦିଲ୍ଲୀ ସରକାର ନିଷ୍ପତି ନେଇପାରିବେ । ତେବେ କେନ୍ଦ୍ର ସରକାର କିଭଳି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛି ବୋଲି ଦଳ ପ୍ରଶ୍ନ କରିଛି?