ଜୟପୁର: ରାଜସ୍ଥାନରେ ଜାରି ହେବ 144 ଧାରା। ରାଜ୍ୟରେ କୋରୋନା ଭାଇରସ ସଂକ୍ରମଣ ଅଣାୟତ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ପୂରା ରାଜ୍ୟରେ 144 ଧାରା ଜାରି କରିବାକୁ ବାଧ୍ୟ ହୋଇଛି ଗେହଲଟ ସରକାର। ଏହାକୁ ନେଇ ରାଜସ୍ଥାନ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରାଯାଇଛି। ନଭେମ୍ବର 21 ତାରିଖରୁ ସାରା ରାଜ୍ୟରେ 144 ଧାରା ଜାରି ହେବା ନେଇ ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି।
ରାଜସ୍ଥାନ ସରକାର ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ବର୍ତ୍ତମାନ କୌଣସି ସାର୍ବଜନିକ ସ୍ଥାନରେ 5ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ। ଏହାସହ ରାଜ୍ୟରେ କୌଣସି ପ୍ରକାର ବିବାହ, ସାଂସ୍କୃତିକ ସମାବେଶ ଓ ଅନ୍ୟାନ୍ୟ ସମାବେଶ ଉପରେ କଟକଣା ଜାରି କରାଯାଇଛି। ବିଶେଷ କରି ବିବାହ ପାଇଁ ଲୋକଙ୍କୁ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ହେବ। ସ୍ଥାନୀୟ ଅଞ୍ଚଳର ସ୍ଥିତି ପରଖିବା ପରେ ବିବାହ ପାଇଁ ଅନୁମତି ଦିଆଯାଇପାରିବ।
ରାଜ୍ୟରେ ହୁ ହୁ ହୋଇ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖା ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଅଞ୍ଚଳ ଗୁଡ଼ିକରେ 144 ଧାରା ଜାରି କରାଯାଇଥିଲା। ଏହାର ଅବଧି ଆଜି(ଶୁକ୍ରବାର) ଶେଷ ହେବାକୁ ଥିଲା। ତେବେ ଏହାପୂର୍ବରୁ ରାଜସ୍ଥାନ ଗୃହମନ୍ତ୍ରାଳୟ ପକ୍ଷରୁ ପୁନର୍ବାର କଟକଣା ଜାରି ହୋଇଛି। ଏହି କଟକଣାର କୌଣସି ଅବଧି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇନାହିଁ। କୋରୋନା ସ୍ଥିତି ନିୟନ୍ତ୍ରଣ ହେବା ଯାଏଁ ଏହି କଟକଣା ଜାରି ରହିପାରେ ବୋଲି ଆଲୋଚନା ହୋଇଛି।
କୋରୋନାକୁ ନେଇ ରାଜ୍ୟ ସରକାର ବାରମ୍ବାର ଲୋକଙ୍କୁ ସଚେତନ କରାଇ ଆସୁଛନ୍ତି। ତେବେ ଏହାର କୌଣସି ସୁଫଳ ଦେଖିବାକୁ ମିଳିନଥିଲା। ବାରମ୍ବାର ସଚେତନ କରିବା ସତ୍ତ୍ବେ ରାଜ୍ୟରେ କୋରୋନା ମାମଲା ବଢ଼ି ଚାଲିଥିଲା। ବର୍ତ୍ତମାନ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 34 ହଜାର 907କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ 2 ହଜାର 116 ଜଣଙ୍କ ମୃତ୍ୟୁ ହୋଇ ସାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 40 ହଜାର 91 ହଜାର 779 କୋରୋନା ଯାଞ୍ଚ ହୋଇ ସାରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ