ପାଟନା: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ବିହାରର ବାହୁବଳୀ ନେତା ତଥା ପୂର୍ବତନ ସାଂସଦ ଆନନ୍ଦ ମୋହନ ଆଜି ଜେଲରୁ ବାହାରିଛନ୍ତି । ଆଜି ଅପରାହ୍ନ ୨ଟା ସମୟରେ ସେ ଜେଲରୁ ମୁକୁଳିବାର ଥିଲା । ହେଲେ ଏହାପୂର୍ବରୁ ତାଙ୍କୁ ସକାଳ ୭ଟା ସମୟରେ ମୁକ୍ତ କରାଯାଇଛି । ଏନେଇ ଜେଲ୍ ସୁପରିଟେଣ୍ଡଣ୍ଟ ଅମିତ କୁମାର ସୂଚନା ଦେଇଛନ୍ତି । ୧୯୯୪ରେ ଆଇଏଏସ୍ ଅଧିକାରୀ ଜି. କ୍ରିଷ୍ଣାୟାଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବିହାରର ଏହି ବାହୁବଳୀ ନେତା ୧୪ ବର୍ଷରୁ ଅଧିକ ସମୟ ହେଲା ଜେଲ୍ରେ ଥିଲେ । ନିକଟରେ ବିହାର ଜେଲ ନିୟମରେ ସଂଶୋଧନ ହେବା ପରେ ଆନନ୍ଦ ମୋହନଙ୍କ ସମେତ ୨୭ ଜଣଙ୍କୁ ଦୋଷ ମୁକ୍ତ କରାଯାଇଥିଲା ।
ଆନନ୍ଦ ମୋହନ ୧୫ ଦିନ ହେଲା ପାରୋଲରେ ଥିବାବେଳେ ଗତକାଲି(ବୁଧବାର) ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ସହରସା ମଣ୍ଡଳ କାରାଗାରରେ ଆତ୍ମସମର୍ପଣ କରିଥିଲେ । ଆଜି ତାଙ୍କୁ ଜେଲରୁ ବାହାର କରାଯାଇଛି । ଅନ୍ୟପଟେ ମୃତ ଜିଲ୍ଲାପାଳ ଜି. କ୍ରିଷ୍ଣୟାଙ୍କ ପରିବାର ଲୋକେ ଆନନ୍ଦ ମୋହନଙ୍କ ମୁକ୍ତି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି । ଜିଲ୍ଲାପାଳଙ୍କ ଝିଅ ପଦ୍ମା କହିଛନ୍ତି ଯେ, ଏହା କେବଳ ଗୋଟିଏ ପରିବାର ପ୍ରତି ନୁହେଁ ସାରା ଦେଶ ପ୍ରତି ଅନ୍ୟାୟ । ନୀତିଶ ସରକାର ଏହି ନିଷ୍ପତ୍ତି ଫେରାଇ ନିଅନ୍ତୁ ବୋଲି ମୁଁ ନିବେଦନ କରୁଛି । ଯଦି ମୁଖ୍ୟମନ୍ତ୍ରୀ ନଶୁଣନ୍ତି ତାହାହେଲେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଅପିଲ କରିବି । ଦରକାର ପଡିଲେ ସୁପ୍ରିମକୋର୍ଟର ମଧ୍ୟ ଦ୍ବାରସ୍ଥ ହେବି ବୋଲି ସେ କହିଛନ୍ତି ।
ମୃତ ଜିଲ୍ଲାପାଳଙ୍କ ପତ୍ନୀ ଉମା ଦେବୀ କହିଛନ୍ତି, ''ଆନନ୍ଦ ମୋହନଙ୍କୁ ପୁଣିଥରେ ଜେଲ୍ ପଠାଯାଉ । ତାଙ୍କୁ ମୁକ୍ତ କରିବା ଏକ ଭୁଲ୍ ନିଷ୍ପତ୍ତି । ଏହା ବିରୋଧରେ ଲୋକେ ଆନ୍ଦୋଳନ କରିବେ । ମୁଖ୍ୟମନ୍ତ୍ରୀ ଏହିଭଳି ବିଷୟକୁ ପ୍ରୋତ୍ସାହନ ଦେବା ଅନୁଚିତ୍ । ଯଦି ଆନନ୍ଦ ମୋହନ ଭବିଷ୍ୟତରେ ନିର୍ବାଚନ ଲଢନ୍ତି ତାହାହେଲେ ଲୋକେ ତାଙ୍କୁ ବୟକଟ କରିବେ ।''
ବାହୁବଳୀ ନେତା ଦୋଷମୁକ୍ତ ହେବା ପରେ ବିହାରରେ ରାଜନୀତି ଜୋର ଧରିଛି । ତାଙ୍କର ମୁକ୍ତିକୁ ବିରୋଧିଙ୍କ ସମେତ ଦଳିତ ସଂଗଠନମାନେ ତୀବ୍ର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି ।
କ'ଣ ଥିଲା ମାମଲା: ୧୯୯୪ ମସିହା ଡିସେମ୍ବର ୫ରେ ତତ୍କାଳୀନ ଗୋପାଳଗଞ୍ଜ ଜିଲ୍ଲାପାଳ ଜି.କ୍ରିଷ୍ଣୟାଙ୍କୁ ହତ୍ୟା କରାଯାଇଥିଲା । ଯେଉଁ ଭିଡ ତାଙ୍କୁ ପିଟି ପିଟି ହତ୍ୟା କରିଥିଲା, ଆନନ୍ଦ ମୋହନ ତାହାର ନେତୃତ୍ବ ନେଇଥିଲେ । ଏହି ମାମଲାରେ ବାହୁବଳୀ ନେତାଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା । ପ୍ରଥମେ ତଳ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବା ପରେ ଆନନ୍ଦ ମୋହନ ପାଟନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ନିକଟରେ ବିହାର ଜେଲ ନିୟମରେ ସଂଶୋଧନ କରି ତାଙ୍କୁ ଦୋଷମୁକ୍ତ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ