ଚଣ୍ତିଗଡ: ଦେଶରେ ବେକାବୁ କୋରୋନା ସଂକ୍ରମଣ । ଏହି ମହାମାରୀ ସମୟରେ ବିଭିନ୍ନ ହସପିଟାଲରେ ଅକ୍ସିଜେନର ଅଭାବ ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ଏକ ବଡ ଅଘଟଣ ମଧ୍ୟ ହରିୟାଣାର ରେଓ୍ବାରୀ ଜିଲ୍ଲାରୁ ଆସିଛି । ରେଓ୍ବାରିରେ ଅକ୍ସିଜେନ ଅଭାବରୁ ଗୋଟିଏ ହସପିଟାଲରେ 4 ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ସେହି ସମୟରେ ଅମ୍ଳଜାନ ଅଭାବ ହେତୁ 114 ରୋଗୀଙ୍କ ଜୀବନ ବିପଦରେ ଥିବା ଅବଗତ କରାଇଥିଲେ ହସପିଟାଲ କର୍ତ୍ତୃପକ୍ଷ । ଯଦି ଅମ୍ଳଜାନ ଠିକ୍ ସମୟରେ ନ ପହଞ୍ଚେ, ତେବେ କିଛି ବି ଘଟିପାରେ ବୋଲି କହିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ, 20 ସିଲିଣ୍ଡର କେବଳ 1 ଘଣ୍ଟା ପାଇଁ ଚାଲିଥାଏ ।
ବର୍ତ୍ତମାନ ସେମାନଙ୍କୁ 1 ଘଣ୍ଟା ପରେ ଅଧିକ ଅମ୍ଳଜାନର ଆବଶ୍ୟକ ହେବ । ଠିକ ସମୟରେ ଅମ୍ଳଜାନ ଯୋଗାଣ ହେଲେ ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ । ସେପଟେ, ଅମ୍ଲଜାନ ଅଭାବ ହେତୁ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାର ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ଖରାପ ସ୍ବାସ୍ଥ୍ୟବସ୍ଥା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ଯଦି ଠିକ ସମୟରେ ଅମ୍ଲଜାନ ଉପଲବ୍ଧ ଥାଆନ୍ତା । ତେବେ ଅମୂଲ୍ୟ ଜୀବନ ବଞ୍ଚାଇ ଯାଇ ପାରି ଥାନ୍ତା ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ