ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 100 ଜଣ ପୂର୍ବତନ ସିଭିଲ୍ ସର୍ଭିସ୍ ଅଧିକାରୀ ଚିଠି ଲେଖିଛନ୍ତି । ଶନିବାର ଏହି ଚିଠିରେ ଅଧିକାରୀମାନେ ସିଧାସଳଖ ପିଏମ୍ କେୟାର୍ସ ଫଣ୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି । ଫଣ୍ଡର ପାରିଦର୍ଶିତା ଉପରେ ପ୍ରଶ୍ନ ଉଠାଯାଇଛି ଚିଠିରେ । ଏଥିରେ ଲେଖାଯାଇଛି, ପବ୍ଲିକ୍ ଆକାଉଣ୍ଟଆବିଲିଟି ସ୍ତରକୁ ସ୍ଥିର ରଖିବା ପାଇଁ ପିଏମ କେୟାର୍ସ ଫଣ୍ଡର ପାରଦର୍ଶିତା ରହିବା ନିହାତି ଜରୁରୀ । କୌଣସି ପ୍ରକାରର ସମସ୍ୟାକୁ ରୋକିବା ପାଇଁ ଫଣ୍ଡର ଯୋଗଦାନ ଓ ଏହାର ଖର୍ଚ୍ଚ ବିଷୟରେ ସମସ୍ତ ସୂଚନା ଉପଲବ୍ଧ ରହିବା ଆବଶ୍ୟକ ।
ସେଥିରେ ଏହା ମଧ୍ୟ ଲେଖାଯାଇଛି ଯେ, ଆମେ କୋରୋନା ମହାମାରୀରେ ପ୍ରଭାବିତ ଲୋକଙ୍କ ପାଇଁ ଗଠନ କରାଯାଇଥିବା ଫଣ୍ଡ ବିଷୟରେ ଲଗାତାର ନଜର ରଖିଛୁ । ଯେଉଁ ଉଦ୍ଦେଶ୍ୟରେ ଏହି ଫଣ୍ଡ ଗଠନ କରାଯାଇଛି ଓ ଯେଉଁଭଳି ଏହାକୁ ପରିଚାଳନା କରାଯାଉଛି, ତାହାକୁ ନେଇ ଥିବା ପ୍ରଶ୍ନର ଉତ୍ତର ମିଳିପାରୁନି । ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ସମସ୍ତ ଜିନିଷର ପାରଦର୍ଶିତା ଓ ସ୍ବଚ୍ଛ ରହିବା ଆବଶ୍ୟକ ।
ଆଇଏଏସ ଅଧିକାରୀ ଅନୀତା ଅଗ୍ନିହୋତ୍ରୀ, ଏସପି ଏମ୍ବ୍ରୋସ୍, ଶରଦ ବେହର, ସଜ୍ଜାଦ ହସନ, ହର୍ଷ ମନ୍ଦର, ପି.ଜଏ ଓମନ୍, ଅରୁଣା ରାୟ, ମଧୁ ଭାଦୁରୀ, କେପି ଫେବିୟନ, ଦେବ ମୁଖାର୍ଜୀ, ସୁଜାତା ସିଂ ପ୍ରମୁଖ ଚିଠି ଲେଖିଛନ୍ତି । ପ୍ରକାଶଥାଉକି, କୋରୋନା ଭାଇରସ ଭାରତରେ ଆସିବା ପରେ ପିଏମ କେୟାର୍ସ ଫଣ୍ଡର ଗଠନ କରାଯାଇଥିଲା । ଏଥିରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷ ଅଛନ୍ତି । ଏହି ଫଣ୍ଡର ଉଦ୍ଦେଶ୍ୟ ହେଉଛି ଜରୁରୀକାଳିନ ସମୟରେ ଅର୍ଥର ବ୍ୟବହାର କରିବା ।