ରାଞ୍ଚି: ୧୯୯୬ ଗୋଖାଦ୍ୟ ଦୁର୍ନୀତି ମାମଲା । ୬୧୭ ସାକ୍ଷ୍ୟ ପ୍ରମାଣ ଓ ୫୦ ହଜାର ତଥ୍ୟ ଆଧାରରେ ଶୁକ୍ରବାର ୩୬ ଜଣଙ୍କୁ ୪ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ ସ୍ବତନ୍ତ୍ର କୋର୍ଟ । ଏହାସହିତ ଅଭିଯୁକ୍ତ ତଥା ରାଞ୍ଚି ପ୍ରାଣୀଧନ ଅଧିକାରୀ ଗୌରୀ ଶଙ୍କର ପ୍ରସାଦଙ୍କୁ କୋର୍ଟ କୋଟିଏ ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହାସହିତ ୫୩ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
ଏହି ମାମଲାରେ ସିବିଆଇ ସ୍ବତନ୍ତ୍ର କୋର୍ଟ ଅଭିଯୁକ୍ତମାନଙ୍କ ସାମର୍ଥ୍ୟ ଓ ସମ୍ବଳ ଆଧାରରେ ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବନିମ୍ନ ଜୋରିମାନା ୭୫ ହଜାର ରହିଥିବା ଜଣାପଡ଼ିଛି । ଏହି ମାମଲା ଅନେକ ବର୍ଷ ଧରି ବିଚାରଧୀନ ରହିଥିଲା । ତେବେ ଦୀର୍ଘ ୨୭ ବର୍ଷ ପରେ ଗତ ଅଗଷ୍ଟ ୨୮ ତାରିଖରେ ସିବିଆଇ ସ୍ବତନ୍ତ୍ର କୋର୍ଟ ମାମଲାର ରାୟ ଶୁଣାଇଥିଲେ । ଗତ ୧୯୯୬ ମସିହାଠାରୁ ଏହି ମାମଲାଟି କୋର୍ଟରେ ବିଚାରଧୀନ ରହିଥିଲା ।
ଏହା ବି ପଢନ୍ତୁ- Fodder Scam Case: ବଢିଲା ଲାଲୁଙ୍କ ଅଡୁଆ, ଜାମିନ ଖାରଜକୁ ନେଇ ସୁପ୍ରିମକୋର୍ଟଙ୍କ ଜବାବ ତଲବ
କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ୬୧୭ ଜଣ ସାକ୍ଷ୍ୟ ପ୍ରମାଣ ସହିତ ପ୍ରାୟ ୫୦ ହଜାର ତଥ୍ୟ ଦାଖଲ ହୋଇଥିଲା । ଅଗଷ୍ଟ ୨୮ ତାରିଖରେ କୋର୍ଟ ମାମଲାର ଶୁଣାଣି କରି ୩୫ ଜଣ ନିର୍ଦ୍ଦୋଷରେ ଖଲାସ କରିଥିଲେ । ସେହିପରି ୩୬ ଜଣଙ୍କୁ ସର୍ବାଧିକ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ୫୩ ଜଣଙ୍କୁ ୩ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ମିଶାଇ ମୋଟ ୧୨୪ ଜଣ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲେ । ଡୋରାଣ୍ଡା ଟ୍ରେଜେରିରୁ ୩୬.୫୯ କୋଟି ଟଙ୍କା ହଡ଼ପ କରିଥିବା ନେଇ ଏମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।
୧୨୪ ଅଭିଯୁକ୍ତଙ୍କ ମଧ୍ୟରେ ବଜେଟ ଆକାଉଣ୍ଟ ଅଫିସର, ପ୍ରାଣୀଧନ ଅଫିସର, ପ୍ରାଣୀ ଚିକିତ୍ସକ ଓ ସପ୍ଲାଏର ରହିଥିଲେ । ମାମଲାରେ ୩୫ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ୮୮ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏ ନେଇ ସିବିଆଇ ଆଇନଜୀବୀ ରବି ଶଙ୍କର କହିଛନ୍ତି, " ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଧିକାଂଶ ଅପରାଧୀଙ୍କ ବୟସ ୮୦ ବର୍ଷରୁ ଅଧିକ ରହିଥିଲା । ଏମାନେ ଡୋରାଣ୍ଡା, ଦେଓଘର, ଡୁମକା ଓ ଛାଇବସା ଟ୍ରେଜେରିରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ହାଇ ପ୍ରୋଫାଇଲ ନେତା RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏବେ ଅସୁସ୍ଥତା କାରଣରୁ ସେ ଜାମିନରେ ଅଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ