ବାଙ୍ଗାଲୁରୁ: ପଡ଼ୋଶୀ ଘରର ନିର୍ଯାତନା ସହି ନ ପାରି ଶେଷରେ ଜୀବନ ହାରିଲେ ଗୋଟିଏ ପରିବାରର 5 ସଦସ୍ୟ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କର୍ଣ୍ଣାଟକର ତୁମାକୁରୁ ଜିଲ୍ଲା ଅନ୍ତର୍ଗତ ସଦାଶିବନଗର ଅଞ୍ଚଳରେ । ଘଟଣାସ୍ଥଳରୁ ଏକ ଚିଠି ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ରବିବାର ଦିନ କର୍ଣ୍ଣାଟକର ତୁମାକୁରୁ ଜିଲ୍ଲା ଅନ୍ତର୍ଗତ ସଦାଶିବନଗର ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ଋଣ ଚାପ ଓ ପଡ଼ୋଶୀ ଘରର ନିର୍ଯାତନା ସହି ନପାରି ଶେଷରେ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ଗୋଟିଏ ପରିବାରର 5 ସଦସ୍ୟ । ପୋଲିସ ସୂଚନା ଅନୁଯାୟୀ, ମୃତକ ପରିବାରଙ୍କ ପ୍ରକୃତ ଘର ତୁମାକୁରୁ ଜିଲ୍ଲାର ଶ୍ରିରା ତାଲୁକ ଅନ୍ତର୍ଗତ ଲକ୍କାନହଲ୍ଲି ଅଞ୍ଚଳରେ । ମୃତକମାନେ ହେଲେ ଗରିବ ସାବ(32), ତାଙ୍କ ପତ୍ନୀ ସୌମ୍ୟା(30), ସେମାନଙ୍କ ଝିଅ ହଜିରା ଏବଂ 2 ପୁଅ ସୁବନ ଓ ମହମ୍ମଦ ମୁନୀର ।
କିଛି ଦିନ ପୂର୍ବେ ଗରିବ ତାଙ୍କ ଜେଜେମାଆଙ୍କୁ ଆତ୍ମହତ୍ୟା ଯୋଜନା ନେଇ ଏକ ଚିଠି ଲେଖିଥିବା ସୂଚନା ମିଳିଛି । ଏହି ଚିଠିରେ ସେ ଋଣ ଭାରରେ ବୁଡ଼ି ରହିଥିବା ଓ ତାଙ୍କ ପରିବାରକୁ ପଡ଼ୋଶୀ ଘର ଲୋକେ ନିର୍ଯାତନା ଦେଉଥିବା କଥା ଉଲ୍ଲେଖ କରିଥିଲେ । ଯେଉଁଥିପାଇଁ ସେମାନେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଗରିବ । ଆଇନ ଅନୁଯାୟୀ ସରକାର ପଡୋଶୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଚିଠିରେ ଦାବି କରିଥିଲେ ଗରିବ । ଚିଠିରେ ଲେଖାଯାଇଛି, "ପଡ଼ୋଶୀଙ୍କ ନିର୍ଯାତନା ପାଇଁ ଆମେମାନେ ଜୀବନ ହାରିବାକୁ ଯାଉଛୁ । ଆମ ମୃତଦେହକୁ ପୋଷ୍ଟ ମର୍ଟମ କରିବେ ନାହିଁ ।" ତେବେ ଗରିବ ସାବ ଚିଠିରେ ସେ ପରିବାରର ନାଁ, ଫୋନ ନମ୍ବର ସବୁକିଛି ଲେଖିଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ଏହାମଧ୍ୟ ପଢନ୍ତୁ..କର୍ଣ୍ଣାଟକରେ ପ୍ରତି ମାସରେ ୨୦-୨୫ ଭ୍ରୁଣର ହତ୍ୟା, ୨ ଡାକ୍ତରଙ୍କ ସମେତ ୫ ଗିରଫ
ଏନେଇ ତୁମାକୁର ଏସପି ଅଶୋକ କେଭିଙ୍କ କହିଛନ୍ତି, "ଆମେ ଗୋଟିଏ ପରିବାରର 5 ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ସମ୍ପର୍କରେ ଆମେ ସୂଚନା ପାଇଥିଲୁ । ଏହାପରେ କିଛି ସମୟ ମଧ୍ୟରେ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ । 2 ଜଣଙ୍କ ଶରୀର ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ 3ଟି ପିଲାଙ୍କ ମୃତଦେହ ବେଡ ଉପରେ ପଡିଥିବା ଦେଖିବାକୁ ପାଇଥିଲୁ । ମୃତକମାନେ ଶ୍ରୀରା ତାଲୁକ ଅନ୍ତର୍ଗତ ଲକ୍କାନହଲ୍ଲି ଅଞ୍ଚଳର ବାସିନ୍ଦା ଥିଲେ । ଗରିବ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଏକ ସୁଇସାଇଡାଲ ନୋଟ ଲେଖିବା ସହ ନିଜ ସମ୍ପର୍କୀୟମାନଙ୍କୁ ଏକ ଭିଡିଓ ମେସେଜ ପଠାଇଥିବା ଜଣାପଡିଛି । ତେବେ ସେହି ଆଧାରରେ ତଦନ୍ତ ଜାରି ରହିଛି ଓ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ତେବେ ଗରିବଙ୍କ ପକ୍ଷରୁ ନିଜ ସମ୍ପର୍କୀୟମାନଙ୍କୁ ପଠାଇଯାଇଥିବା ଭିଡିଓ ମେସେଜରେ ପଡ଼ୋଶୀଙ୍କ ନାଁ, ଘର ବିଷୟରେ କୁହାଯାଇଥିବା ସୂଚନା ରହିଛି । ଏହି ଘଟଣାକୁ ନେଇ ପୋଲିସ ସରଜମିନ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ବର୍ତ୍ତମାନ ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ସୂଚନା ପ୍ରଦାନ କରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ