ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । 16 ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 26 କୋଟି ଲୋକଙ୍କୁ ଦିଆଯାଇସାରିଲାଣି କୋଭିଡ ଟିକା । ଏହାରି ମଧ୍ୟରେ ଟୀକାକରଣ ଯୋଗୁଁ ପ୍ରଥମ ମୃତ୍ୟୁ ନେଇ ସ୍ପଷ୍ଟ ହୋଇଛି ।
ସରକାରୀ ପ୍ୟାନାଲ ଆଣ୍ଟି କୋଭିଡ ଟୀକାକରଣ ପରେ ସାମ୍ନାକୁ ଆସିଥିବା 31 ଗୁରୁତର ମାମଲାର ଯାଞ୍ଚ କରିଛି । ଏଥିରୁ କେବଳ ଜଣଙ୍କର ମୃତ୍ୟୁ ଟୀକାକରଣ କାରଣରୁ ହୋଇଥିବା ଯାଞ୍ଚରେ ସ୍ପଷ୍ଟ ହୋଇଛି ।
ରିପୋର୍ଟ ଅନୁଯାୟୀ, 8 ମାର୍ଚ୍ଚ 2021ରେ ଟୀକାକରଣ ପରେ 68 ବର୍ଷୀୟ ଜଣେ ବ୍ୟକ୍ତିର ଏନାଫିଲୋକ୍ସିସ ଯୋଗୁଁ ମୃତ୍ୟୁ ହୋଇଯାଇଛି । ଟୀକାକରଣ ପରେ ହେଉଥିବା ସମସ୍ୟାକୁ AEFI ଅର୍ଥାତ ଆଡଭର୍ସ ଇଭେଣ୍ଟ ପଲୋଇଙ୍ଗ ଇମ୍ୟୁନାଇଜେସନ କୁହାଯାଏ । ଏଥିପାଇଁ ସରକାର କମିଟି ମଧ୍ୟ ଗଠନ କରିଛନ୍ତି ।
ରିପୋର୍ଟରେ କୁହାଯାଇଛି ଯେ କମିଟି ଅଧ୍ୟକ୍ଷ ଡାକ୍ତର ଏନକେ ଆରୋରା ଟୀକାକରଣ ପରେ ପ୍ରଥମ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି । ରୋଗୀ ଶରୀରରେ ଏନାଫିଲେକ୍ସିସ ମିଳିଥିଲା ।
3ଟି ମାମଲା ଭ୍ୟାକ୍ସିନ ଉତ୍ପାଦ ସହ ଜଡିତ । ଭ୍ୟାକ୍ସିନ ଉତ୍ପାଦ ସହ ଜଡିତ ପାର୍ଶ୍ବ ପ୍ରତିକ୍ରିୟା ହୋଇପାରେ, ଯାହାର କାରଣ ଟୀକାକରଣ ବୋଲି କୁହାଯାଉଛି । ଏହି ପାର୍ଶ୍ବ ପ୍ରତିକ୍ରିୟାରେ ଆଲର୍ଜୀ ଓ ଏନାଫିଲେକ୍ସିସ ସାମିଲ ରହିଛି ।
ଏନାଫିଲେକ୍ସିସର ଅନ୍ୟ 2 ମାମଲାରେ 19 ଓ 16 ଜାନୁଆରୀରେ ଟିକା ଲଗାଯାଇଥିଲା । ଦୁଇ ଜଣ ଗୋଟିଏ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଠିକ ହୋଇଯାଇଥିଲେ । କୋଭିଡ ଟୀକାକରଣ ପରେ ପାର୍ଶ୍ବ ପ୍ରତିକ୍ରିୟା ମାମଲା ମୋଟ ଟୀକାକରଣର ମାତ୍ର 1.01 ପ୍ରତିଶତ । ଅନ୍ୟପକ୍ଷେ ମୃତ୍ୟୁ ହାର ଆହୁରି କମ ରହିଛି ।