ଚେନ୍ନାଇ: ତାମିଲନାଡୁ ଆରିୟାଲୁର ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ । ଘରୋଇ ବାଣ ଦୋକାନରେ ବଡ ଧରଣର ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ହୋଇଛି । ଏଥିରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି ।
ଏହାମଧ୍ୟ ପଢନ୍ତୁ..Mumbai Fire News: ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, 7 ମୃତ
ତାମିଲନାଡୁର ଆରିୟାଲୁର ଜିଲ୍ଲା ଅନ୍ତର୍ଗତ ବିରକାଲୁର ଗ୍ରାମରେ ଥିବା ଏକ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାରୁ ବାଣ ଦୋକାନରେ ଭୟଙ୍କର ବିସ୍ପୋରଣ ଘଟିଥିଲା । ଏହି ବିସ୍ଫୋରଣରେ 7 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ 6 ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ସୂଚନା ଅନୁୟାୟୀ, ଆରିୟାଲୁର ଜିଲ୍ଲା ଅନ୍ତର୍ଗତ ବିରକାଲୁର ଗ୍ରାମରେ ରାଜେନ୍ଦ୍ରଙ୍କ ୟାଜ ନାମରେ ଏକ ବାଣ ଦୋକାନ ରହିଛି । ସେହି ଦୋକାନରେ ବାଣ ବିକ୍ରି ସହ ତିଆରି ମଧ୍ୟ କରାଯାଇଥାଏ । ତେବେ ଦୀପାବଳୀକୁ ଦୃଷ୍ଟିରେ ରଖି ବହୁ ପରିମାଣରେ ବାଣ ଭିଡାଯାଉଥିଲା । ପାଖାପାଖି 45 ଜଣ ସ୍ଥାନୀୟ ଲୋକେ ସେଠାରେ କାମ କରୁଥିଲେ । ଆଜି ( ସୋମବାର) ସକାଳ 9.30 ସମୟରେ ବାଣ ଦୋକାନରେ ବାଣ ତିଆରି ଚାଲିଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଯିବାରୁ ଦୋକାନରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ବାଣ ତିଆରି କାର୍ଯ୍ୟରେ ନିୟୋଜିତ ଲୋକମାନଙ୍କ ମଧ୍ୟରୁ 7ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ତେବେ ବିସ୍ଫୋରଣର ଶବ୍ଦ ଅନେକ ଦୂର ପର୍ଯ୍ୟନ୍ତ ଶୁଭିଥିଲା ।
ଏହାମଧ୍ୟ ପଢନ୍ତୁ.. ବାଣ ଗୋଦାମ ବିସ୍ଫୋରଣରେ ମୃତ୍ୟୁଂସଖ୍ୟା 14କୁ ବୃଦ୍ଧି, ପୀଡିତ ପରିବାରକୁ ୫ ଲକ୍ଷ ଅନୁକମ୍ପା ଘୋଷଣା
ଅନ୍ୟପଟେ ସୂଚନା ପାଇ ଆରିୟାଲୁର ଓ ପାଖାପାଖି ଅଞ୍ଚଳରୁ 3ଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ନିଆଁ ଏତେ ବ୍ୟାପିଯାଇଥିଲା ଯେ ଏହାକୁ ଆୟତ୍ତ କରିବାକୁ 3ଟି ଦମକଳବାହୀନିକୁ ପାଖାପାଖି 3 ଘଣ୍ଟା ସମୟ ଲାଗିଥିଲା । ତେବେ ଏହି ବିସ୍ପୋରଣରେ 7 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 6 ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ରହିଛି ।
ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ଏତେମାତ୍ରାରେ ବାଣ ତିଆରି କରିବା ପାଇଁ ଅନୁମତି ଥିଲା କି ନାହିଁ ନା ବେଆଇନ ଭାବେ ବାଣ ତିଆରି ଚାଲିଥିଲା ସେନେଇ ସୂଚନା ମିଳିପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ