ମୁମ୍ବାଇ: ମହରାଷ୍ଟ୍ର ପୋଲିସ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ଏତଲା ଦାଏର କରିଛି । ତେବେ ଜଣେ ପୋଲିସ ଇନ୍ସପେକ୍ଟର ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଗୁରୁବାର ଏହି ଏଫଆଇଆର ଦାଏର ହୋଇଥିବା ଜଣାପଡିଛି ।
ଭିଦର୍ଭା ଅଞ୍ଚଳର ଅକୋଲାଠାରେ ପୂର୍ବତନ କମିଶନରଙ୍କ ସମେତ ଅନ୍ୟ 26 ଜଣ ପୋଲିସ କର୍ମଚାରୀ ଓ ଡିସିପି ପରାଗ ମନେରେଙ୍କ ବିରୋଧରେ ଏହି ଏଫଆଇଆର ଦାଏର ହୋଇଛି । ଅକୋଲା ସହରର କୋଟୱାଲୀ ପୋଲିସ ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟ), 1989 ର ବିଭିନ୍ନ ବିଭାଗରେ ପୋଲିସ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦାଏର କରିଛି । ଏହି ଏଫଆଇଆର ଥାନେ ସିଟି ପୋଲିସ ନିକଟକୁ ସ୍ଥାନାନ୍ତର କରାଯାଇଛି ।
ପୋଲିସ ଇନ୍ସପେକ୍ଟର ଭୀମରାଓ ଗାଡେ ତାଙ୍କ ଅଭିଯୋଗରେ ସିଂ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି, ଯେଉଁ ସମୟରେ ପରମବୀର ଥାନେ ପୋଲିସ ଷ୍ଟେସନରେ ପୋଲିସ କମିଶନର ଭାବେ କାର୍ଯ୍ୟ କରୁଥିଲେ । ଥାନେ ପୋଲିସ କମିଶନରେଟରେ 2015-2018 ମସିହାରେ ନିଯୁକ୍ତି ପାଇଥିବା ଗାଡେ ଅଭିଯୋଗ କରିଛନ୍ତି ଯେ ପରମବାରୀଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଅଧିକାରୀ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିଲେ। ଏହାସହିତ ପରମବୀର ତାଙ୍କୁ ସେମାନଙ୍କ ବିରୋଧରେ ଏଫଆଇଆର ଦାଏର ନ କରିବାକୁ କହିଥିବା ଗାଡ଼େ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ