ମୁମ୍ବାଇ: ବିରୋଧ ପ୍ରଦର୍ଶନବେଳେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଅପମାନଜନକ ମନ୍ତବ୍ୟ ଦେଇ ଅଡୁଆରେ କଂଗ୍ରେସ ନେତା । ମହାରାଷ୍ଟ୍ର ନାଗପୁର କଂଗ୍ରେସ ୟୁନିଟର ପୂର୍ବତନ ମୁଖ୍ୟ ଶେଖ ହୁସେନଙ୍କ ନାମରେ ଏତଲା ଦାଏର ହୋଇଛି । ଆଜି (ବୁଧବାର) ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ପ୍ରତିବାଦରେ କଂଗ୍ରେସ ଇଡି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲା ।
ଏହି ପ୍ରତିବାଦରେ ସାମିଲ ଥିବା ହୁସେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏପରି ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ବିଜେପି ଏହି ମନ୍ତବ୍ୟକୁ ତୀବ୍ର ବିରୋଧ କରିବା ସହ ଶେଖ ହୁସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଥାନାରେ ଏତଲା ଦାଏର କରିଛି ।
ଏତାଲା ଆଧାରରେ ପୋଲିସ IPC ଧାରା 294 ଓ 504 ଅନୁସାରେ କଂଗ୍ରେସ ନେତା ଶେଖ ହୁସେନଙ୍କ ନାମରେ ମାମଲା ମଧ୍ୟ ରୁଜୁ କରିଛି । କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମାରାଥନ ଜେରା ଜାରି ରହିଛି । କେନ୍ଦ୍ରରେ କ୍ଷମତାସୀନ ବିଜେପି କେନ୍ଦ୍ରୀୟ ଏଜେନ୍ସିକୁ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀଙ୍କ ବିରୋଧୀରେ ବ୍ୟବହାର କରିଆସୁଥିବା ଅଭିଯୋଗ କରିଆସିଛି କଂଗ୍ରେସ । ରାହୁଲଙ୍କୁ ଜେରାର ପ୍ରଥମ ଦିନରୁ ଦେଶବ୍ୟାପୀ କଂଗ୍ରେସ ନେତା ଓ ସମର୍ଥକମାନେ ସ୍ଥାନୀୟ ଇଡି କାର୍ଯ୍ୟାଳୟ ବାହାରେ ପ୍ରତିବାଦ ଜାରି ରଖିଛନ୍ତି । ଦିଲ୍ଲୀ ସମେତ ଅନେକ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ