ଶ୍ରୀନଗର: ଦୀର୍ଘ ଦିନର ଯାତ୍ରା ପରେ ଆଜି(ସୋମବାର) ଶେଷ ହେବ କଂଗ୍ରେସର ଭାରତ ଯୋଡ ଯାତ୍ରା । ଆଜି ଉଦଯାପନି ସମାରୋହରେ 12 ବିରୋଧି ଦଳର ନେତା ଅଂଶ ଗ୍ରହଣ କରିବେ। ଏନେଇ କଂଗ୍ରେସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଆୟୋଜିତ ହେବାକୁ ଥିବା ସମାପନ ସମାବେଶରେ 21ଟି ଦଳକୁ ଆମନ୍ତ୍ରିତ କରାଯାଇଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟିରୁ କେବଳ ବାରଟି ଦଳ ଏହି ସମାରୋହରେ ଯୋଗ ଦେବେ ବାକି ଦଳଗୁଡ଼ିକୁ ଯୋଗ ଦେବାକୁ ମନା କରିଛନ୍ତି ।
ପାର୍ଟି ସୁତ୍ରରୁ ଜଣାପଡିଛି ଯେ, ଆଜି ଭାରତ ଯୋଡ ଯାତ୍ରାର ଶେଷ ଦିନରେ କାଶ୍ମୀର ଷ୍ଟାଡିୟମରେ ସମାପନ ସମାବେଶ ଆୟୋଜିତ ହେବ । ଏଥିରେ ଟିଏମସି, ଟିଡିପି ଓ ସମାଜବାଦୀ ପାର୍ଟି ସାମିଲ ହୋଇ ନପାରନ୍ତି। । ସେହିପରି ଡିଏମକେ, ଏନସିପି, ଜେଡିଟୁ, ଆରଜେଡି, କେରଳ କଂଗ୍ରେସ, ସିପିଆଇଏମ, ସିପିଆଇ, ଶିବସେନା, ନ୍ୟାସନାଲ କନଫରେନ୍ସ, ପିପୁଲ୍ସ ଡେମୋକ୍ରାଟି ପାର୍ଟି, ବିଦ୍ୟୁଥାଇଲାଇ ଚିରୁଠିଗାଲି କାଞ୍ଚି ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏହି ସମାବେଶରେ ସାମିଲ ହେବେ ବୋଲି କୁହାଯାଇଛି ।
ରବିବାର ଶ୍ରୀନଗର ସ୍ଥିତ ଲାଲ ଚୌକରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଉଭଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଏହାପରେ ଲାଲ ଚୌକରୁ ନେହୁରୁ ପାର୍କ ଅଭିମୁଖେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିଲା । ଏହାପରେ ଗତକାଲି ସନ୍ଧ୍ୟା ସମୟରେ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଆଜି ଶ୍ରୀନଗରର ଏମ ରୋଡରେ ଥିବା କଂଗ୍ରେସ ମୁଖ୍ୟାଳୟରେ ତ୍ରିରଙ୍ଗା ଉଡାଇବେ ରାହୁଲ ଗାନ୍ଧୀ, ଏହାପରେ ଏସ.କେ ଷ୍ଟାଡିୟମରେ ଏକ ସାଧାରଣ ସଭାର ଆୟୋଜନ କରାଯିବ । ଏହି ସାଧାରଣ ସଭା ପାଇଁ 12ଟି ବିରୋଧୀ ଦଳର ନେତା ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଗାୟକ ରେଖା ଭରଦ୍ବାଜ ଏବଂ ଭିଶାଲ ଭରଦ୍ବାଜ ସଙ୍ଗୀତ ପରିବେଷଣ କରିବେ ।
150 ଦିନ ଧରି ଚାଲିଥିବା କଂଗ୍ରେସର ଏହି ଭାରତ ଯୋଡ ଯାତ୍ରା 12ଟି ରାଜ୍ୟ ସମେତ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ 4ହଜାର 80 କିଲୋମିଟର ଅତିକ୍ରମ କରିଥିଲା। ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ 12ଟି ସାଧାରଣସଭା, 100ରୁ ଅଧିକ ବୈଠକ ଓ 13ଟି ପ୍ରେସ କନଫରେନ୍ସ କରିଛନ୍ତି । ଗତବର୍ଷ ସେପ୍ଟେମ୍ବର 7 ତାରିଖରୁ କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । ଯାହାର ଆଜି ଶେଷ ଦିନ ରହିଛି ।