ଗାନ୍ଧୀନଗର: ଗତ ଫେବୃୟାରୀରେ ଗୁଜୁରାଟର ସୁରଟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଏକତରଫା ପ୍ରେମରୁ 20 ବର୍ଷୀୟ ଫେନିଲ ଗୋୟାନୀ(Fenil Goyani) ନାମକ ଯୁବକ 21 ବର୍ଷୀୟା ଗ୍ରୀଷ୍ମା ୱେକରିଆ(Grishma Vekariya )ଙ୍କୁ ତାଙ୍କ ପରିବାର ସମ୍ମୁଖରେ ଗଳା କାଟି ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ହତ୍ୟାକାରୀ ଯୁବକକୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଗୁରୁବାର ସୁରଟର ସେସନ କୋର୍ଟ(Surat sessions court) ଗୋୟନୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ମାମଲାର ଶୁଣାଣି ସମୟରେ ନ୍ୟାୟାଳୟ ଦିଲ୍ଲୀ ନିର୍ଭୟା ହତ୍ୟାକାଣ୍ଡ ଏବଂ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀ ଅଜମଲ କସାବର ଉଦାହରଣ ଦେଇଥିଲେ ଏବଂ ଗ୍ରୀଷ୍ମା ହତ୍ୟାକାଣ୍ଡକୁ ଅତି ବିରଳ ବୋଲି କହିଥିଲେ ।
ବିଚାରପତି ବିମଲ କନାଇୟାଲାଲ ବ୍ୟାସ( Judge Vimal Kanaiyalal Vyas) ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାର ଶୁଣାଣି କରିଥିଲେ ଏବଂ କହିଥିଲେ ଯେ, ''ମହିଳାଙ୍କ ବିରୁଦ୍ଧରେ ଏଭଳି ଜଘନ୍ୟ ଅପରାଧ ରୋକିବା ପାଇଁ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ । ଗୋୟାନୀ ଯେଉଁଭଳି ଭାବେ ଗ୍ରୀଷ୍ମାଙ୍କ ଗଳା କାଟିଥିଲା ତାହା କଂସେଇ କୌଣସି ପଶୁକୁ ହତ୍ୟା କରିବା ଭଳି ଥିଲା । ସେ ନିଜ 28 ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏଭଳି ମାମଲା ଦେଖି ନଥିଲେ । ଗ୍ରୀଷ୍ମୀଙ୍କ ଭାଗ୍ୟ 2012 ଦିଲ୍ଲୀ ଦୁଷ୍କର୍ମ ପୀଡିତା ଭଳି ଥିଲା'' ବୋଲି କହିଥିଲେ ବିଚାରପତି ।
ଉଲ୍ଲେଖଯୋଗ୍ୟ, ଫେବୃୟାରୀ 12 ତାରିଖରେ ସୁରଟର ପସୋଦରା(Pasodara area of Surat) ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । କଲେଜ ପଢୁଆ ଗ୍ରୀଷ୍ମା ଫେନିମ ଗୋୟାନୀଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ ସେ ତାଙ୍କ ପରିବାର ଓ ପଡୋଶୀଙ୍କ ଆଗରେ ତାଙ୍କୁ ଦୁଇଥର ଛୁରୀ ଭୂଷିବା ପରେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲା । ଗ୍ରୀଷ୍ମାଙ୍କ ଭାଇ ଓ ଦାଦା ତାଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଗୋୟାନୀ ଛୁରାମାଡ କରିଥିଲା । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସମୟର ଏକ ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା ।