ଥିରୁଅନନ୍ତପୁରମ: ବରିଷ୍ଠ ଡାକ୍ତରଙ୍କ ଦ୍ବାରା ଅସଦାଚରଣର ଶିକାର ହେଲେ ମହିଳା ଡାକ୍ତର । ଗତ ୨୦୧୯ ମସିହାରେ ମହିଳା ଡାକ୍ତର ଜଣକ ଏହି ଅସଦାଚରଣର ଶିକାର ହୋଇଥିବା ବେଳେ ଏବେ ମୁହଁ ଖୋଲିଛନ୍ତି । ବରିଷ୍ଠ ଡାକ୍ତର ଜଣକ ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । କେରଳ ଏର୍ଣ୍ଣାକୁଲମ ଜେନେରାଲ ହସ୍ପିଟାଲ ମହିଳା ଡାକ୍ତର ଜଣକ ଏହି ଘଟଣା ସମ୍ପର୍କରେ ନିଜ ବନ୍ଧୁଙ୍କ ସହିତ ସେୟାର କରିବା ପରେ ଏବେ ମୁହଁ ଖୋଲିଥିବା କହିଛନ୍ତି ।
ପୀଡ଼ିତାଙ୍କ କହିବା ଅନୁସାରେ ସେ ହାଉସ ସର୍ଜନସିପ୍ ସମୟରେ ଏହି ଅସଦାଚରଣର ଶିକାର ହୋଇଥିଲେ । ଅଭିଯୋଗ କଲେ କାଳେ ବରିଷ୍ଠ ଡାକ୍ତର ଜଣକ ତାଙ୍କୁ ସାର୍ଟିଫିକେଟ ଦେବେ ନାହିଁ, ଏହି ଭୟରେ ସେ ମୁହଁ ଖୋଲିନଥିଲେ । ହେଲେ ହାଉସ ସର୍ଜନସିପ୍ ଶେଷ ହେବା ପରେ ଏନେଇ ସେ ନିଜ ବନ୍ଧୁଙ୍କ ସହିତ ସେୟାର କରିଥିଲେ । ଏହାପରେ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ବରିଷ୍ଠ ଡାକ୍ତରଙ୍କ ବିରୋଧରେ ମହିଳା ଡାକ୍ତର ଜଣକ ଏହି ଅଭିଯୋଗ ଆଣିଛନ୍ତି ।
ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଗଣମାଧ୍ୟମକୁ ଏହି ସୂଚନା ଦେବା ସମୟରେ କହିଛନ୍ତି ଯେ ପୀଡ଼ିତା ଜଣକ ଏକ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ପତ୍ରର ଏକ କପି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କୁ ପଠାଯାଇଛି । ପୀଡ଼ିତା ଜଣକ ଇ-ମେଲ ଆଧାରରେ ଏହି ଅଭିଯୋଗ କରିଛନ୍ତି । ଏହାସହିତ ପୀଡ଼ିତାଙ୍କ ଅଭିଯୋଗର ପତ୍ରକୁ ପୋଲିସକୁ ମଧ୍ୟ ପଠାଯାଇଛି । ୨୦୧୯ ମସିହା ଫେବୃଆରୀ ମାସରେ ମହିଳା ଡାକ୍ତରଙ୍କ ସହିତ ଏହି ଘଟଣା ଘଟିଥିଲା ।
ଏ ନେଇ ପୀଡ଼ିତା ଜଣକ କହିଛନ୍ତି, "ଏହି ଘଟଣା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମୁଁ ମୌଖିକ ଭାବରେ ଜଣାଇଥିଲି, ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଯେହେତୁ ଅଭିଯୁକ୍ତ ଜଣକ ବରିଷ୍ଠ ମେଡିକାଲ ଅଫିସର ଥିଲେ, କାଳେ ମୋତେ ଇଣ୍ଟର୍ନସିପ ସାର୍ଟିଫିକେଟ ମିଳିବ ନାହିଁ, ସେହି ଭୟରେ ବାଧ୍ୟ ହୋଇ ମୋତେ ଚୁପ ରହିବାକୁ ପଡ଼ିଥିଲା । ସେହି ସମୟରେ ପୋଲିସ ଷ୍ଟେସନରେ ମୁଁ ଅଭିଯୋଗ କରିନଥିଲି । ଏବେ ଅଭିଯୁକ୍ତ ଡାକ୍ତର ଜଣକ ଏହି ହସ୍ପିଟାଲରୁ ଟ୍ରାନ୍ସଫର ହୋଇଥିବାରୁ ମୁଁ ଏହି ଅଭିଯୋଗ ଆଣିଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ