ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ଚାଷୀମାନେ ଟ୍ରାକ୍ଟର ରାଲି କରିବାକୁ ଯାଉଛନ୍ତି । ତେବେ ଏଥିଲାଗି ଚାଷୀଙ୍କ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇସାରିଥିବା ବେଳେ ସୋମବାର ଦିଲ୍ଲୀ-ଉତ୍ତରପ୍ରଦେଶରେ ଥିବା ଗାଜିପୁର ବର୍ଡରରେ ଚାଷୀମାନେ ଏକତ୍ରିତ ହୋଇ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଛି । ଚାଷୀମାନେ ସିଘୁଂ ସୀମା, ଟିକ୍ରି ସୀମା, ନଜଫଗଡ ଓ ଗାଜିପୁରର ମାର୍ଗରେ ଏହି ରାଲି କରିବେ ବୋଲି ସ୍ଥିର ହୋଇଛି ।
ଟ୍ରାକ୍ଟର ରାଲି ଲାଗି ପଞ୍ଜାବ, ହରିୟାଣା ଓ ରାଜସ୍ଥାନରୁ ଟ୍ରାକ୍ଟରଗୁଡିକ ଦିଲ୍ଲୀ-ହରିୟାଣା ମଧ୍ୟରେ ଥିବା ଟିକୀରି ସୀମାରେ ପହଞ୍ଚିସାରିଛି । ଏହିଠାରେ ଗତ 2 ମାସ ଧରି କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଚାଷୀମାନେ ଧାରଣାରେ ବସିଆସୁଛନ୍ତି । ଜାନୁଆରୀ 26 ତାରିଖରେ ଦିଲ୍ଲୀ ମାର୍ଗରେ ଟ୍ରାକ୍ଟର ରାଲି କରିବା ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେବା ପରେ ଚାଷୀମାନେ ଏହି ରାଲି କରିବାକୁ ଯାଉଛନ୍ତି ।
ଏହି ସମ୍ପର୍କରେ କିଷାନ ମଜଦୁର ସଂଘର୍ଷ କମିଟିର ସଦସ୍ୟ ଶୁଖୱିନ୍ଦର ସିଂ କହିଛନ୍ତି ଯେ ଦିଲ୍ଲୀ ପୋଲିସ ସେମାନଙ୍କୁ ଟ୍ରାକ୍ଟର ରାଲି ପାଇଁ ଦେଇଥିବା ଅନୁମତି ସଠିକ୍ ନୁହେଁ । କାରଣ ଚାଷୀମାନେ ପୁରାତନ ରିଙ୍ଗ ରୋଡରେ ଏହି ରାଲି କରିବାକୁ ସ୍ଥିର କରିଥିଲେ । ମାତ୍ର ଦିଲ୍ଲୀ ପୋଲିସ ରିଙ୍ଗ ରୋଡ଼ରେ ରାଲି ପାଇଁ ଅନୁମତି ନ ଦେବା ପରେ ସିଘୁଂ, ଟିକ୍ରି ସୀମା, ନଜଫଗଡ଼ ଓ ଗାଜିପୁର ସୀମାରେ ଏହି ରାଲି ହେବା ପାଇଁ ସ୍ଥିର ହୋଇଛି ।
ଏହି ରାଲି ଉପରୋକ୍ତ ସୀମାଗୁଡିକ ଦେଇ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିବ । ସିଘୁଂ ସୀମା ଦେଇ ଆସୁଥିବା ଟ୍ରାକ୍ଟରଗୁଡିକ କାଞ୍ଝୱାଲା, ବୱାନା, ଔଚଣ୍ଡି ସୀମା, KMP ଏକ୍ସପ୍ରେସୱେ ଦେଇ ପୁଣି ସିଘୁଂ ସୀମାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଦିଲ୍ଲୀ ଇଣ୍ଟେଲିଜେନ୍ସ ପୋଲିସର ସିପି ଦିପେନ୍ଦ୍ର ପାଠକ ସୂଚନା ଦେଇଛନ୍ତି । ଏହି ରାଲିରେ ଦେଶର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଆସି ଯୋଗ ଦେବେ । ସେପଟେ ସୋମବାର ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାର ଚାଷୀମାନେ ମୁମ୍ବାଇର ଆଜାଦ ମୈଦାନରେ କେନ୍ଦ୍ର ସରକାରଙ୍କ 3ଟି ବିବାଦୀୟ କୃଷି ବିଲକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ଚାଷୀଙ୍କ ପରିବାର ମଧ୍ୟ ସାମିଲ ହୋଇଛନ୍ତି । କୃଷି ଆଇନ ଯୋଗୁଁ ଚାଷ କାର୍ଯ୍ୟକୁ ଛାଡିବା ଦ୍ବାରା ଚାଷୀମାନେ ଭୂମିହୀନ ହୋଇଯିବେ । ସେଥିଲାଗି ସେମାନେ ପରିବାର ସହ ଏଠାରେ ଆନ୍ଦୋଳନ କରୁଛନ୍ତି ବୋଲି ଜଣେ ଆନ୍ଦୋଳନ ଚାଷୀ କହିଛନ୍ତି ।
ତେବେ ଗତ ଶୁକ୍ରବାର ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ 11ତମ ଆଲୋଚନା ହୋଇଥିଲା । ମାତ୍ର ଚାଷୀମାନେ 3ଟି ଆଇନକୁ ବାତିଲ କରିବା ପାଇଁ ଦାବି କରିବା ପରେ ଏହି ଆଲୋଚନା ମଧ୍ୟରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏଥିଲାଗି କେନ୍ଦ୍ର ସରକାର 3ଟି ଆଇନକୁ 18 ମାସ ପାଇଁ ସ୍ଥଗିତ ରଖିଛନ୍ତି । 2020 ମସିହା ନଭେମ୍ବର 26 ତାରିଖଠାରୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଚାଷୀମାନେ 3ଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ।
@ANI