ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର କ୍ରମାଗତ ସଂକ୍ରମଣ ବୃଦ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ମହାମାରୀର ମୁକାବିଲା ପାଇଁ ଟୀକାକରଣ ବୃଦ୍ଧିର ଗୁରୁତ୍ବ ଉପରେ ଜୋର ଦେଇଛନ୍ତି ମନମୋହନ।
ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ କେବଳ ମୋଟ ସଂଖ୍ୟା ଦେଖାଯିବା ଉଚିତ ନୁହେଁ ବରଂ ଜନସଂଖ୍ୟାର କେତେ ପ୍ରତିଶତ ଟୀକାକରଣ କରାଯାଇଛି ତାହା ମଧ୍ୟ ଦେଖାଯିବା ଉଚିତ।
ମନମୋହନ ସିଂହ କହିଛନ୍ତି, ଆସନ୍ତା ମାସ ପାଇଁ ଟିକା ଅର୍ଡର ଏବଂ ଯୋଗାଣ ସମ୍ପର୍କରେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସୂଚନା ଦେବା ଉଚିତ। ରାଜ୍ୟଗୁଡିକୁ କିପରି ଟିକା ଯୋଗାଇ ଦିଆଯାଉଛି ତାହା ସରକାର କହିବା ଉଚିତ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ସିଂହ।
ସିଂହ ଚିଠିରେ ଲେଖିଛନ୍ତି, କୋରୋନା ବିରୋଧରେ ଲଢେଇରେ ଟୀକାକରଣ ବୃଦ୍ଧି ପାଇଁ ପ୍ରୟାସକୁ ଜୋର ଦେବା ଦରକାର। କେତେ ଲୋକଙ୍କୁ ଟୀକାକରଣ କରାଯାଇଛି ତାହା ଦେଖିବାକୁ ଆମେ ଆଗ୍ରହୀ ହେବା ଉଚିତ ନୁହେଁ, ବରଂ ଜନସଂଖ୍ୟାର କେତେ ପ୍ରତିଶତ ଟୀକାକରଣ କରାଯାଇଛି, ଏହା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମନମୋହନ ।