ଡିଏମକେ ସାମ୍ମୁଖ୍ୟ: 133
ଆନ୍ନାଡିଏମକେ ସାମ୍ମୁଖ୍ୟ: 90
ଅନ୍ୟାନ୍ୟ: 11
ଚେନ୍ନାଇ: ଗୋଟିଏ ସରକାରକୁ ଆଉ ଥରେ କ୍ଷମତାକୁ ଆଣିବା ପରିବର୍ତ୍ତେ ପରିବର୍ତ୍ତନକୁ ଅଧିକ ପସନ୍ଦ କରିଛନ୍ତି ତାମିଲନାଡୁ ଭୋଟର । ଏପ୍ରିଲ 6ରେ ହୋଇଥିବା ମତଦାନ ବେଳେ ଏହା ସେମାନେ ଭୋଟ ଜରିଆରେ ଜଣାଇ ଦେଇଛନ୍ତି । ପ୍ରମୁଖ ବିରୋଧୀ ଦଳ ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମକେ) ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସରକାର ବିରୋଧୀ ହାୱା ଏବଂ ମୋଦି ବିରୋଧୀ ପ୍ରଚାରକୁ ଆୟୁଧ କରି ଡିଏମକେ ନେତୃତ୍ବାଧିନ ସେକୁଲାର ପ୍ରୋଗ୍ରେସିଭ୍ ଆଲାଏନସ ବିଧାନସଭା ନିର୍ବାଚନରେ ବିଜୟୀ ହେବ । ଆନ୍ନାଡିଏମକେର 10 ବର୍ଷ ଶାସନର ଅବସାନ ଘଟାଇ ଡିଏମକେ ସଭାପତି ଏମ.କେ.ଷ୍ଟାଲିନ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଡିଏମକେ ସାମ୍ମୁଖ୍ୟ ରାଜ୍ୟର ମୋଟ 234 ଆସନ ମଧ୍ୟରୁ 133ଟିରେ ବିଜୟୀ ହୋଇ ଏକ ସହଜ ସଂଖ୍ୟାଗରିଷ୍ଠତା ହାସଲ କରିବ ।
ଯଦିଓ ବାହୁଡା ମତ ବା ଏକଜିଟ ପୋଲର ପୂର୍ବାନୁମାନ ସେଫୋଲୋଜିଷ୍ଟ ବା ନିର୍ବାଚନ ବିଶେଷଜ୍ଞଙ୍କ ମତ ଭିନ୍ନ ଭିନ୍ନ ରହୁଛି, ହେଲେ ଡିଏମକେ ଓ ଏହାର ମିତ୍ର ଦଳଗୁଡିକ ବିଧାନସଭାରେ ମୋଟ ଆସନ ସଂଖ୍ୟାର ଅଧାରୁ ଅଧିକରେ ବିଜୟୀ ହୋଇ ସଂଖ୍ୟଗରିଷ୍ଠତା ହାସଲ କରିବେ ।
ନିର୍ବାଚନ ବିଶାରଦ ମାନେ ଡିଏମକେ ସାମ୍ମୁଖ୍ୟର ବିପୁଳ ବିଜୟ ହେବା ନେଇ ପୂର୍ବାନୁମାନ କରି ସାରିଛନ୍ତି । କଂଗ୍ରେସ, ବାମ ଦଳ, ଭିଦୁଥାଲାଇ ଚିରୁଥାଇଗାଲ କାଛି, ମୁସଲିମ ଦଳ ଏବଂ ଅନ୍ୟ କିଛି ଛୋଟ ଛୋଟ ଦଳଗୁଡ଼ିକୁ ନେଇ ଡିଏମକେ ସାମ୍ମୁଖ୍ୟ ଗଠନ କରାଯାଇଛି । ମେଣ୍ଟର ଗାଣିତିକ ଆଧାରରେ ଆନ୍ନାଡିଏମକେ ତୁଳନାରେ ଡିଏମକେ ଭଲ ସ୍ଥିତିରେ ରହିଛି । ଅନ୍ୟପକ୍ଷରେ ବିଜେପି ସହିତ ମେଣ୍ଟ କରିଥିବା ଆନ୍ନାଡିଏମକେ ପାଇଁ ଏହା ବୋଝ ପାଲଟି ଯାଇଛି ।
କୋରୋନା ମହାମାରୀ ଭିତରେ ଏବଂ ଆଉ ଏକ ଉଲ୍ଲେଖନୀୟ ଘଟଣା କରୁଣାନିଧି କିମ୍ବା ତାଙ୍କର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ଜୟାଲଳିତାଙ୍କ ଭଳି ବିରାଟ ବ୍ୟକ୍ତିତ୍ବଙ୍କ ଅନୁପସ୍ଥିତିରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହା ନିଶ୍ଚିତ ଯେ, ଏଥର ବିଧାନସଭା ନିର୍ବାଚନ ପୁଣି ଥରେ ଷ୍ଟାଲିନଙ୍କୁ ତାଙ୍କ ନିଜ ଶକ୍ତି ବଳରେ ରାଜ୍ୟରେ ସବୁଠାରୁ ଶକ୍ତିଶାଳୀ ନେତା ପ୍ରମାଣିତ କରିବାରୁ ସୁଯୋଗ ଦେଇଛି । 2019 ଲୋକସଭା ନିର୍ବାଚନ ପରଠାରୁ ସେ ଏକାକୀ ଦଳର ନିର୍ବାଚନ ପରିଚାଳନା ଭାର ସମ୍ଭାଳିବା ସହ ଦଳ ପାଇଁ ନିୟମିତ ବିଜୟ ଆଣିଛନ୍ତି । 2016 ବିଧାନସଭା ନିର୍ବାଚନରେ ମଧ୍ୟ ଡିଏମକେର ପ୍ରଚାର ତାଙ୍କ ଉପରେ ନିର୍ଭର କରିଥିଲା ।
ଏଥର ମତଦାନ ହାର 55.28 ପ୍ରତିଶତ ସହିତ ବହୁତ କମ୍ ହୋଇଥିଲେ ସୁ୍ଦ୍ଧା ଚେନ୍ନାଇ ପୁଣି ଥରେ ଡିଏମକେର ପକେଟରେ ଥିବା ପ୍ରମାଣିତ ହୋଇଛି । ଡିଏମକେ ଏଠାକାର ଅଧିକାଂଶ ଆସନରେ ଜିତୁଛି । ମଝିରେ କିଛିଦିନ ଛାଡିଦେଲ ପାରମ୍ପରିକ ଭାବେ ମହାନଗରୀ ଚେନ୍ନାଇ ସବୁବେଳେ ଡିଏମକେର ଦୁର୍ଗ ହୋଇ ରହିଆସିଛି । ରାଜ୍ୟରେ ଭୋଟ ହାର 71.43 ପ୍ରତିଶତ ହୋଇଥିବା ବେଳେ କାରୁରରେ ଭୋଟିଂ ହାର ସର୍ବାଧିକ 83.92 ପ୍ରତିଶତ ରହିଛି । 2019 ଲୋକସଭା ନିର୍ବାଚନ ବେଳେ ମଧ୍ୟ ସମାନ ସଂଖ୍ୟକ ଭୋଟ ହୋଇଥିଲା, ଏଥରେ ଡିଏମକେ ସାମ୍ମୁଖ୍ୟ ମୋଟ 39ଟି ଆସନ ମଧ୍ୟରୁ 38ଟି କବଜା କରି ନେଇଥିଲା । ଆନ୍ନାଡିଏମକେକୁ ଏକମାତ୍ର ଆସନ ଛାଡିଥିଲା ଏବଂ ତାହାର ସହଯୋଗୀ ବିଜେପି ଖାତା ଖୋଲି ପାରିନଥିଲା ।
କ୍ଷମତାରୁ ବାହାରି ଯିବା ପରେ ଆନ୍ନାଡିଏମକେରେ ସଙ୍କଟ ସୃଷ୍ଟି ହେବ। ଯଦିଏ ଦଳକୁ 90ଟି ଆସନ ମିଳିବା ନେଇ ପୂର୍ବାନୁମାନ କରାଯାଉଛି ତଥାପି କ୍ଷମତା ହରାଇବା କାରଣରୁ ଦଳର ଏବଂ ମୁଖ୍ୟମନ୍ତ୍ରୀ ଇପିଏସଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ । ରାଜ୍ୟର ପଶ୍ଚିମ ଅଞ୍ଚଳ ବା କୋଙ୍ଗୁ ଏରିଆରେ ଦଳର ସ୍ଥିତି ଏବେ ବି ସୁଦୃଢ ଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଆନ୍ନାଡିଏମକେ ପାଇଁ ଦଳର ଚିନ୍ତା ହେଉଛି, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ଯାଏଁ ଅନେକଙ୍କ ନାମରେ ଭ୍ରଷ୍ଟାଚାର ମାମଲା ରହିଛି । ଇପିଏସ ଏବଂ ତାଙ୍କ କ୍ୟାବିନେଟ ସହଯୋଗୀଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର ମାମଲା ନେଇ ଡିଏମକେ ଯେହେତୁ ସ୍ମାରକପତ୍ର ପ୍ରଦାନ କରିଛି ସେହି କାରଣରୁ ପରବର୍ତ୍ତୀ ସରକାର ଏସବୁ ମାମଲା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ?
ବିଜୟ ସତ୍ତ୍ବେ ଡିଏମକେ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ନେଇ ଷ୍ଟାଲିନଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି । ଶିକ୍ଷା ଋଣ ଛାଡ଼, ମହିଳାମାନଙ୍କୁ 1500 ଟଙ୍କାର ମାସିକ ଭତ୍ତା ପ୍ରଦାନ ଏପରି ଅନେକ କିଛି ପ୍ରତିଶ୍ରୁତି ନୂଆ ସରକାରଙ୍କୁ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଏହାସହିତ ଏବେ କୋରୋନାର ଦ୍ବିତୀୟ ଲହରୀ ଦେଶରେ ବିପର୍ଯ୍ୟୟ ଘଟାଇ ଚାଲିଥିବା ବେଳେ ଏହାକୁ ମୁକାବିଲା କରିବା ନୂଆ ସରକାରଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେବ ।
ଏମ ସି ରାଜନ
ବ୍ୟୁରୋ ଚିଫ୍ ଇଟିଭି ଭାରତ, ଚେନ୍ନାଇ