ପାଟନା: ବିହାର ମୁଜାଫରପୁରରେ ବିଜୁଳି ବିଭାଗର ଅତ୍ୟନ୍ତ ଦାୟିତ୍ବହୀନତା କାର୍ଯ୍ୟଶୈଳୀ ସାମ୍ନାକୁ ଆସିଛି । କ୍ରାନ୍ତିକାରୀ ସ୍ବାଧୀନତା ସଂଗ୍ରାମୀ ତଥା ଶହୀଦ ଖୁଦିରାମ ବୋଷଙ୍କ ନାମରେ ବିଭାଗ ଜାରି କରିଛି ବକେୟା ବିଜୁଳି ବିଲ ନୋଟିସ୍ । ଏକ ସପ୍ତାହ ମଧ୍ୟରେ ବିଜୁଳି ବିଲ୍ ପୈଠ ନକଲେ ବିଜୁଳି ସଂଯୋଗ କାଟି ଦିଆଯିବା ନେଇ ଶହୀଦଙ୍କ ନାମ ଉଲ୍ଲେଖ କରି ବିଭାଗ ନୋଟିସ୍ ଜାରି କରିଛି । ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଗଣମାଧ୍ୟମରେ ଘଟଣା ପ୍ରକାଶିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭାଗର ଏପରି ଦାୟିତ୍ବହୀନତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଏପରି କାର୍ଯ୍ୟକଳାପ ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଅପମାନ ବୋଲି ବୁଦ୍ଧିଜୀବୀ କହିଛନ୍ତି ।
ଘଟଣା କିଛି ଏହିପରି । ମୁଜାଫରପୁର ସହରରେ ଥିବା ଶହୀଦ ଖୁଦିରାମଙ୍କ ଏକ ପ୍ରତିମୂର୍ତ୍ତି ସ୍ଥଳରେ ଆଲୋକୀକରଣ ପାଇଁ ଏହି ବିଦ୍ୟୁତ ସଂଯୋଗ ନିଆଯାଇଛି । ତେବେ କୌଣସି କାରଣରୁ ଗତକିଛି ମାସ ହେବ ବିଜୁଳି ଦେୟ ପଇଠ ନହେବା କାରଣରୁ ମୋଟ 1 ଲକ୍ଷ 36 ହଜାର ଟଙ୍କାର ବକେୟା ବିଲ୍ ରହିଥିବା ଜଣାପଡିଛି । ତେବେ ଶହୀଦଙ୍କ ପ୍ରତିମୂର୍ତ୍ତି ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିବା ସଂସ୍ଥା କିମ୍ବା କିମିଟି ପରିବର୍ତ୍ତେ ବିଜୁଳି ବିଭାଗ ଏହି ବକେୟା ରାଶି ସହ ସିଧା ଶହୀଦଙ୍କ ନାମରେ ନୋଟିସ କରିଛି । ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ଅବଧି ଦେବା ସହ ବେକାୟ ରାଶି ପଇଠ ନକଲେ ବିଜୁଳି ସଂଯୋଗ କାଟି ଦିଆଯିବା ନେଇ ଉଲ୍ଲେଖ ମଧ୍ୟ ରହିଛି । ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବିଜୁଳି ବିଭାଗର ବେପରୁଆ ମନୋଭାବକୁ ସମାଲୋଚନା କରାଯାଇଛି ।
ଭାରତୀୟ ସ୍ବାଧୀନତା ସଂଗ୍ରାମର ଜଣେ ଯୁବ କ୍ରାନ୍ତିକାରୀ ସଂଗ୍ରାମୀ ହେଉଛନ୍ତି ଖୁଦିରାମ ବୋଷ । 11 ଅଗଷ୍ଟ 1908 ମସିହାରେ ତାଙ୍କୁ ଇଂରେଜମାନେ ଫାଶୀଖୁଣ୍ଟରେ ଝୁଲାଇ ଦେଇଥିଲେ । ମାତ୍ର 19 ବର୍ଷ ବୟସରେ ଫାଶୀ ପାଇଥିବା ଖୁଦୀରାମଙ୍କୁ ଭାରତୀୟ ସ୍ବାଧୀନତା ସଂଗ୍ରାମର ସର୍ବକନିଷ୍ଠ ଫାଶୀ ଖୁଣ୍ଟରେ ଝୁଲିଥିବା ଶହୀଦ ବୋଲି ମଧ୍ୟ କୁହାଯାଏ । ମୁଜାଫରପୁରରେ ତାଙ୍କର ଓ ଅନ୍ୟ ଜଣେ ସ୍ବାଧୀନତା ସଂଗ୍ରାମୀ ପ୍ରଫୁଲ ଚାନ୍ଦଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଯାହାକୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିଂ ଉଦ୍ଘାଟନ କରିଥିଲେ । ତେବେ ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଲାଗିଥିବା ବିଦ୍ୟୁତ ସଂଯୋଗ ପାଇଁ ଏପରି ବେପରୁଆ ନେଟିସ ଜାରି କରିବା ସରକାରଙ୍କ ବିଜୁଳି ବିଭାଗର ଖାମଖିଆଲି ମନୋଭାବକୁ ପଦାରେ ପକାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ