ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ଦବିବା ଘଟଣା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ଦିନକୁ ଦିନ ମାଟି ଆହୁରି ଦବିବାକୁ ଲାଗିଥିବାବେଳେ ଦେଖା ଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଆହୁରି ବିପଦ ଆଡ଼କୁ ଠେଲି ନେଉଛି । ଉତ୍ତରାଖଣ୍ଡରେ କ୍ରମାଗତ ଭାବେ ଭୂକମ୍ପ ଏବଂ ଭୂସ୍ଖଳନ ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି (ରବିବାର) ପୁଣି ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଉତ୍ତରାଖଣ୍ଡର ସୀମାନ୍ତ ଜିଲ୍ଲା ପିଥୋରାଗଡ଼ ପୁଣି ଭୂକମ୍ପରେ ଥରି ଉଠିଛି । ଆଜି ସକାଳ 8.58ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.8 ରେକର୍ଡ କରାଯାଇଛି । ଗତ ବର୍ଷ ଡିସେମ୍ବରରେ ଉତ୍ତରାଖଣ୍ଡରେ ଦୁଇ ଥର ଭୂକମ୍ପ ହୋଇଥିଲା । ।
ଏହା ମଧ୍ୟ ପଢ଼ନ୍ତୁ: WFI Controversy: ଅଯୋଧ୍ୟାରେ ହେବାକୁ ଥିବା ବୈଠକ 4 ସପ୍ତାହ ପାଇଁ ସ୍ଥଗିତ
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ସକାଳେ ଉତ୍ତରାଖଣ୍ଡର ପିଥୋରାଗଡ଼ରେ 3.8 ମ୍ୟାଗ୍ନିଚ୍ୟୁଟର ଭୂକମ୍ପ ହୋଇଛି । ଏହାର ଅକ୍ଷାଂଶ 29.78 ଥିବାବେଳେ ଦ୍ରାଘିମା 80.13 ରହିଛି । ସେହିପରି ଏହାର ଗଭୀରତା 10 କିଲୋମିଟର ରେକର୍ଡ କରାଯାଇଛି । ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ । ଉତ୍ତରପ୍ରଦେଶର ପିଥୋରାଗଡ଼, ବାଗେଶ୍ବର, ଉତ୍ତରକାଶୀ, ଚମୋଲି ଏବଂ ରୁଦ୍ରପ୍ରୟାଗ ଜିଲ୍ଲା ଜୋନ-5 ଅଧିନରେ ରହିଛି । ପୃଥିବୀ ପୃଷ୍ଠରୁ ହଠାତ ବହୁ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ ସୃଷ୍ଟି କରେ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁଁ ସାଧାରଣତଃ ଭୂକମ୍ପ ହୋଇଥାଏ ।
ଏହା ମଧ୍ୟ ପଢ଼ନ୍ତୁ: ମାଟିରେ ମିଶିଯିବ ଦେବଭୂମୀ ଉତ୍ତରାଖଣ୍ଡ ! ବଡ଼ ଧରଣର ଭୂକମ୍ପ ନେଇ ବୈଜ୍ଞାନିକଙ୍କ ଆକଳନ
ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରସ୍ପର ସହ ଘସି ହୋଇ ସାମାନ୍ୟ ଲାଖି ଯାଆନ୍ତି । ଚାପ ଅତ୍ୟଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂକମ୍ପ ହୁଏ । ଭାରତୀୟ ମାନକ ବ୍ୟୁରୋ ଦେଶକୁ ଚୋରୋଟି ଭୂକମ୍ପ ଜୋନରେ ବିଭକ୍ତ କରିଛି । ଯଥା - ଜୋନ-2, ଜୋନ-3, ଜୋନ-4, ଜୋନ-5 । ଏହି ଚାରୋଟି ଜୋନ ମଧ୍ୟରୁ ଜୋନ-5 ସବୁଠାରୁ ଅଧିକ ଭୂକମ୍ପ ସକ୍ରିୟ ଜୋନ ହୋଇଥିବାବେଳେ ଜୋନ-2 ସର୍ବନିମ୍ନ ଅଟେ । 1991 ମସିହାରେ ଉତ୍ତରାଖଣ୍ଡରେ ହୋଇଥିବା ଭୂକମ୍ପରେ ରିକ୍ଟର ସ୍କେଲରେ ତୀବ୍ରତା 7.0 ରହିଥିଲା । ସେହିପରି 1999ରେ ଚାମୋଲିରେ 6.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । କିନ୍ତୁ ସେବେଠାରୁ କୌଣସି ବଡ଼ ଧରଣର ଭୂକମ୍ପ ହୋଇନାହିଁ । କିନ୍ତୁ ଛୋଟ ଭୂକମ୍ପର ମାତ୍ରା ବୃଦ୍ଧି ପାଇଛି ।