ମୁମ୍ବାଇ: ପାକିସ୍ତାନ କରାଚିରେ ଲୁଚିଛି ଅଣ୍ଡରଓ୍ବାର୍ଲ୍ଡ ଡନ ତଥା 1993 ମୁମ୍ବାଇ ସିରିଜ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଆତଙ୍କବାଦୀ ଦାଉଦ ଇବ୍ରାହିମ । ଆଜି ଦାଉଦର ଭଣଜା ତଥା ହାସିନା ପାରକରଙ୍କ ପୁଅ ଆଲିଶାହ ଜେରାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହି ସୂଚନା ଦେଇଛି । ଆଲିଶାହ ଏହା ମଧ୍ୟ ସୂଚନା ଦେଇଛି ଯେ, ତାଙ୍କ ପରିବାର କୌଣସି ସଦସ୍ୟ ଦାଉଦ ସହ ସମ୍ପର୍କରେ ନାହାନ୍ତି । ଦାଉଦ କେବଳ ପାକିସ୍ତାନର କରାଚିରେ ଆତ୍ମଗୋପନ କରିଥିବା କଥା ସେମାନେ ଜାଣନ୍ତି ।
ଆଜି (ମଙ୍ଗଳବାର) ଆର୍ଥିକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜେରାର ସମ୍ମୁଖୀନ ହୋଇଛି ଦାଉଦର ଭଣଜା ଅଲିଶାହ । ଜେରା ସମୟରେ ଦାଉଦ ସମ୍ପର୍କରେ ପ୍ରଶ୍ନ କରିଥିଲା ତଦନ୍ତକାରୀ ସଂସ୍ଥା । ତେବେ ଅଲିଶାହ କହିଛି, ତାର ଜନ୍ମ ହେବା ପୂର୍ବରୁ ଦାଉଦ ମୁମ୍ବାଇ ଛାଡିସାରିଥିଲା । ଦାଉଦ ବର୍ତ୍ତମାନ ପାକିସ୍ତାନର କରାଚିରେ ଥିବା ସେ କେବଳ କିଛି ସମ୍ପର୍କୀୟଙ୍କ ଠାରୁ ଶୁଣିିଥିବା କହିଛି ।
ଦାଉଦ ଦୀର୍ଘ ବର୍ଷ ହେବ ମୁମ୍ବାଇ ତଥା ଭାରତ ଛାଡି ସାରିଛି । ଅଲିଶାହର ପରିବାର ମଧ୍ୟ ତାହା ସହ ସମ୍ପର୍କରେ ନଥିବା ସେ ପ୍ରକାଶ କରିଛି । କେବଳ ଇଦ୍ ଏବଂ ଅନ୍ୟ କିଛି ପର୍ବ ପର୍ବାଣୀ ସମୟରେ ଦାଉଦର ସ୍ତ୍ରୀ ମେହେଜାବିନ ପରିବାରର କିଛି ମହିଳାଙ୍କ ସହ ସମ୍ପର୍କ କରିଥାଏ ବୋଲି ମଧ୍ୟ ସେ ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ