ନୂଆଦିଲ୍ଲୀ: ମହାମାରୀକୁ ମାତ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ କାର୍ଯ୍ୟକ୍ରମ । କୋରୋନା ବିରୋଧୀ ଯୁଦ୍ଧରେ ଅସ୍ତ୍ର ସାଜିଛି ସ୍ବଦେଶୀ ଟିକା କୋଭାକ୍ସିନ । ହେଲେ କୋଭାକ୍ସିନକୁ ନେଇ ପର୍ଯ୍ୟାୟକ୍ରମେ ଭିନ ଭିନ୍ନ ଗୁଜବ ପ୍ରଚାର ହେବାରେ ଲାଗିଛି ।
ଭାରତ ବାୟୋଟେକର କୋଭାକ୍ସିନକୁ ନେଇ କଂଗ୍ରେସ ନେତା ଗୌରବ ପାନ୍ଧୀ କରିଛନ୍ତି ଅଜବ ଦାବି । ଗୌରବଙ୍କ କହିବାନୁଯାୟୀ, କୋଭାକ୍ସିନକୁ ତିଆରି କରିବା ପାଇଁ ବାଛୁରୀ ରକ୍ତର ଉପଯୋଗ କରାଯାଉଛି । ଏହି ଦାବି ସେ ଏକ ଆରଟିଆଇ ଜବାବ ଆଧାରରେ କରିଛନ୍ତି ।
କଂଗ୍ରେସ ନେତାଙ୍କ ବୟାନ ପରେ କୋଭାକ୍ସିନକୁ ନେଇ ବଢିଛି ତର୍କବିତର୍କ । ଏନେଇ ଭାରତ ବାୟୋଟେକକୁ ସାମ୍ନାକୁ ଆସି ଦେବାକୁ ପଡିଛି ସଫେଇ ।
କଂଗ୍ରେସ ନେତାଙ୍କ ଦାବି
କଂଗ୍ରେସ ନେତା ଗୌରବ ପାନ୍ଧୀଙ୍କ କହିବାନୁଯାୟୀ, 20 ଦିନରୁ କମ ବୟସର ବାଛୁରୀ ରକ୍ତର ସିରମକୁ କୋଭାକ୍ସିନରେ ଉପଯୋଗ କରାଯାଉଛି । ଯଦି ଏଭଳି ହେଉଛି ସରକାରଙ୍କ ପକ୍ଷରୁ କଣ ପାଇଁ ସୂଚନା ଦିଆଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ।
ବିବାଦ ଉପରେ ଭାରତ ବାୟୋଟେକର ସଫେଇ
କଂଗ୍ରେସ ନେତାଙ୍କ ଦାବିକୁ ନେଇ କୋଭାକ୍ସିନ ବିରୋଧରେ ସୃଷ୍ଟି ହୋଇଛି ବିବାଦ । ସୋସିଆଲ ମିଡିଆରେ କ୍ରମାଗତ ଭ୍ୟାକ୍ସିନ ଉପରେ ଉଠୁଛି ପ୍ରଶ୍ନ । ତମାମ ପ୍ରଶ୍ନ ମଧ୍ୟରେ ଭାରତ ବାୟୋଟେକ ପକ୍ଷରୁ ଏହା ଉପରେ ସଫେଇ ଦିଆଯାଇଛି ।
ଭାରତ ବାୟୋଟେକର କହିବାନୁଯାୟୀ, ଭାଇରାଲ ଟିକାର ପ୍ରସ୍ତୁତିରେ ବାଛୁରୀ ସେରମ ଉପଯୋଗ କରାଯାଏ । ଏହାର ବ୍ୟବହାର କୋଷର ଅଭିବୃଦ୍ଧି ପାଇଁ କରାଯାଏ । ହେଲେ SARS CoV2 ଭାଇରସର ଫାଇଲାଲ ଫର୍ମୁଲାରେ ଏହାର ଉପଯୋଗ ହୋଇନାହିଁ ।
ଭାରତ ବାୟୋଟେକ କହିଛି ଯେ କୋଭାକ୍ସିନ ସମ୍ପୂର୍ଣ୍ଣ ଶୁଦ୍ଧ ଭ୍ୟାକ୍ସିନ । ଏଥିରେ ସମସ୍ତ ଅଶୁଦ୍ଧି ହଟାଇ ପ୍ରସ୍ତୁତ କରାଯାଇଛି । ଭ୍ୟାକ୍ସିନ ତିଆରି ପାଇଁ ବାଛୁରୀ ସେରମର ଉପଯୋଗ ଅନେକ ଦଶନ୍ଧିରୁ ସାରା ବିଶ୍ବରେ କରାଯାଇଆସୁଛି । ଗତ 9 ମାସରେ ଏହା ବାବଦରେ ସାର୍ବଜନିକ ପ୍ଲାଟଫର୍ମରେ ସୂଚନା ଦିଆଯାଇଛି ।
କେନ୍ଦ୍ର ସରକାରଙ୍କ ଜବାବ
କେନ୍ଦ୍ର ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଟିକା ପ୍ରସ୍ତୁତିକୁ ନେଇ ସୋସିଆଲ ମିଡିଆର କିଛି ପୋଷ୍ଟରେ ଏହା କୁହାଯାଇଛି ଯେ ଏଥିରେ ଏକ ନବଜାତ ବାଛୁରୀର ସେରମ ମିଳିଛି । ତଥ୍ୟଗୁଡିକ ଏକ ବିକୃତ ଢଙ୍ଗରେ ଉପସ୍ଥାପିତ ହୋଇଛି |
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋଷ ଗଠନ ଏବଂ ବିକାଶରେ କେବଳ ନବଜାତ ବାଛୁରୀର ସେରମ ବ୍ୟବହାର କରାଯାଇଛି। ଭାଇରସ କଲଚର ପାଇଁ ଟେକ୍ନୋଲୋଜି ରହିଛି । ପୋଲିଓ, ରେବିଜ ଏବଂ ସ୍ବାଇନ ଫ୍ଲୁ ଟିକା ପାଇଁ ଦଶନ୍ଧି ଧରି ଏହି ଟେକ୍ନୋଲୋଜି ବ୍ୟବହୃତ ହୋଇଆସୁଛି | ହେଲେ କୋଭାକ୍ସିନରେ ବାଛୁରୀ ସେରମ ଉପଯୋଗ ହୋଇନଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର ।