ମୁମ୍ବାଇ: ଶାଢ଼ୀରେ ୱାର୍କଆଉଟ । ସେ ପୁଣି କୌଣସି ଘରେ କିମ୍ବା ପଡିଆରେ ନୁହେଁ, ଜିମ୍ରେ ଚାଲିଛି କସରତ । ସାଧାରଣତଃ ଯୁବତୀ ଓ ମହିଳାମାନେ ଜିମ୍ରେ ୱାର୍କଆଉଟ୍ କଲାବେଳେ ଟ୍ରାକସୁଟ୍, ଟିସାର୍ଟ କିମ୍ବା ଜିମ୍ ସୁଟ୍ ପିନ୍ଧିଥାଆନ୍ତି। କାରଣ ଏଥିରେ ବ୍ୟାୟାମ ଖୁବ୍ ସହଜ ଓ ସୁବିଧାରେ ହୋଇପାରିଥାଏ । ଶରୀରକୁ ଆରାମ ଲାଗିଥାଏ। କିନ୍ତୁ ଶାଢ଼ୀରେ ୱାର୍କଆଉଟ, କଥାଟା ବଡ ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ଶାଢ଼ୀରେ ୱାର୍କଆଉଟ କରି ଦେଖାଇଛନ୍ତି 37 ବର୍ଷୀୟ ଆୟୁର୍ବେଦ ଡାକ୍ତର 'ସାରଭାରୀ ଇନାମଦାର' । ଶାଢ଼ୀରେ ୱାର୍କଆଉଟ କରୁଥିବା ଭିଡିଓ ସେ ନିଜେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହା ପରେ ସେ ଖୁବ୍ ପରିଚିତ ଓ ପ୍ରଶଂସିତ ହୋଇପାରିଛନ୍ତି। ଯୁଆଡେ ଦେଖିବ ତାଙ୍କରି ଚର୍ଚ୍ଚା । ପାରମ୍ପରିକ ଶାଢ଼ୀ ପିନ୍ଧି ଫିଟନେସ ୱିମେନ ସାରଭରୀ ୱେଟ ଟ୍ରେନିଂ, ପୁସ୍ ଅପ୍, ଟ୍ରେଡମିଲ୍, ଜୁମ୍ବା, ସ୍କିପିଂ, କାରଡିଓ ଆଦି କରିଥାଆନ୍ତି ।

ଅଣ୍ଟାରେ ଶାଢ଼ୀ ଖୋସି କରନ୍ତି ୱାର୍କଆଉଟ୍:
ସାରଭରୀ ଶାଢ଼ୀକୁ ଅଣ୍ଟାରେ ଖୋସି, ନାକରେ ନୋଥ ଏବଂ କାନରେ ଝୁମୁକା ପିନ୍ଧି ଜିମ୍ରେ ଝାଳ ବୁହାଇ ଥାଆନ୍ତି । ତାଙ୍କୁ ଦେଖିଲେ ଲାଗେ ସେ ଯେପରି ସବୁ ମହିଳାଙ୍କୁ ଠାରୁ ସମ୍ପୂର୍ଣ୍ଣ ଅଲଗା । ଯେଉଁଠି ମହିଳାମାନେ ଜିମ୍ ପାଇଁ ସ୍ବତନ୍ତ୍ର ବେଶ ପୋଷାକ ପରିଧାନ କରୁଥିବାବେଳେ ସାରଭରୀ ଏକଦମ୍ ପାରମ୍ପରିକ ବେଶଭୂଷାରେ କେଶ ବାନ୍ଧି ବ୍ୟାୟାମ କରିଥାଆନ୍ତି । ସେ ସମସ୍ତ ମହିଳାଙ୍କ ପାଇଁ ଉଦାହରଣ ସଦୃଶ୍ୟ । କୌଣସି ଅସୁବିଧା ତାଙ୍କୁ ହୁଏ ନାହିଁ । ଏକଦମ୍ ଫ୍ରିରେ ସେ ବ୍ୟାୟାମ କରିଥାଆନ୍ତି ।
2 ପୁଅର ମାଆ ସାରଭରୀ:
ସାରଭରୀ ମହାରାଷ୍ଟ୍ର ପୁଣେର ବାସିନ୍ଦା । ତାଙ୍କ ସ୍ବାମୀ ମଧ୍ୟ ଜଣେ ଡାକ୍ତର । 14 ବର୍ଷ ଏବଂ 17 ବର୍ଷର 2 ପୁଅ ମଧ୍ୟ ଅଛନ୍ତି । ସ୍ବାମୀ ତାଙ୍କୁ ଜିମ୍ ଯିବା ଓ ୱେଟ ଟ୍ରେନିଂ ପାଇଁ ପ୍ରୋତ୍ସାହିତ କରିଥିଲେ । ଘର ସଂସାର ମଧ୍ୟରେ ଲିପ୍ତ ରହି ମଧ୍ୟ ସେ ନିଜ ୱାର୍କଆଉଟ ପାଇଁ କେବେ ହେଲେ ମଧ୍ୟ ହେଳା କରନ୍ତି ନାହିଁ ।
ୱେଟ ଟ୍ରେନିଂ କରନ୍ତୁ, ସୁସ୍ଥ ରୁହନ୍ତୁ:
ବିଗତ କିଛି ବର୍ଷେ ତଳେ ସେ ବ୍ୟାୟାମ ଓ ଡାଏଟ୍ ସମ୍ପର୍କରେ ଏକ ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରିଥିଲେ । ସାରଭରୀ କୁହନ୍ତି ଯେ, ଶାଢ଼ୀ କୌଣସି କାମ କରିବାରେ ବାଧା ସାଜି ପାରେନା । ବରଂ ଏହାକୁ ପିନ୍ଧି ମହିଳା ହେବାର ଆନନ୍ଦକୁ ଅନୁଭବ କରାଯାଇପାରେ । ଫିଟନେସ ରୁଟିନ୍ରେ ୱେଟ ଟ୍ରେନିଂ ସାମିଲ କରିବାକୁ ସାରଭରୀ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବ୍ୟାୟାମ ଦ୍ବାରା ମାଂସପେଶୀ ଓ ହାଡ ମଜବୁତ୍ ହୋଇଥାଏ । କେବଳ ଏତିକି ନୁହେଁ, ଏହା ଦ୍ବାରା ଜଣେ ବ୍ୟକ୍ତି ମାନସିକ, ଶାରୀରିକ ଭାବେ ଦୃଢ ହୋଇଥାଏ । ଏହାଦ୍ବାରା ଆପଣ ଆପଣଙ୍କ ପରିବାରର ଉଚିତ୍ ଦେଖାଶୁଣା କରିପାରିବେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବା ରହିବା ଏବଂ ଶରୀର ସୁଢଳ-ସୁନ୍ଦର ରହିବାକୁ ହେଲେ ୱେଟ ଟ୍ରେନିଂ ନିହାତି ଆବଶ୍ୟକ ।
ଏ ନେଇ ସେ ବିଭିନ୍ନ ପ୍ରକାରର ୱାର୍କଆଉଟ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି । ଏଥିରୁ ଜଣେ ମହିଳା ବିଭିନ୍ନ ୱାର୍କଆଉଟ୍ ଶିଖିବା ସହ ବିନା ଜିମ୍ ସୁଟରେ କିପରି ବ୍ୟାୟାମ କରାଯାଇପାରିବ, ସେ ନେଇ ମଧ୍ୟ ଉଚିତ୍ ପ୍ରଶିକ୍ଷଣ ନେଇ ପାରିବେ । ସେ ଜଣେ ଡାକ୍ତର ହୋଇ ମଧ୍ୟ ନିଜ ଶରୀର ପ୍ରତି ବେଶ୍ ଯତ୍ନବାନ ।
4ଥରର ଏସିଆ ୱିମେନ୍ ୱେଟ ଟ୍ରେନିଂ ବିଜେତା:
ନିଜ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ପାଇଁ ସେ ୱାର୍କଆଉଟ୍ କରିଥାଆନ୍ତି । ସେ କୁହନ୍ତି ଯେ, ପ୍ରଥମେ ପ୍ରଥମେ ତାଙ୍କୁ ଶାଢ଼ୀରେ ପୁଲ୍ ଅପ୍ ଓ ପୁସ୍ ଅପ୍ କରିବାକୁ କଷ୍ଟ ହେଉଥିଲା । କିନ୍ତୁ ଏବେ ଆଉ ଅସୁବିଧା ହେଉନାହିଁ । ସେ ଚାରି ଥର ଏସିଆ ୱିମେନ୍ ୱେଟ ଟ୍ରେନିଂ ଆୱାର୍ଡ ହାତେଇ ସାରିଲେଣି । ଯେଉଁଥିପାଇଁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଥିଲା । ନିଜ ଡାକ୍ତରୀ ସମୟରୁ ସେ ବ୍ୟାୟାମ ପାଇଁ ଦୁଇ ଘଣ୍ଟା ସମୟ କାଢି ଥାଆନ୍ତି । ତୈଳାକ୍ତ ଜାତୀୟ ଜିନିଷ ଖାଇବାରୁ ସେ ନିବୃତ୍ତ ରହିଥାଆନ୍ତି ।

ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଜଣେ ମହିଳା କେବଳ ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହିପାରିବ ନାହିଁ । ଭାରତୀୟ ମହିଳା ହେବାର ମର୍ଯ୍ୟାଦା ରଖିବା ସହ ନିଜ ସାଂସାରିକ ଓ କର୍ତ୍ତବ୍ୟରୁ ବିରତ ନ ହୋଇ ସେ ବହୁ ସୁନାମ ଅର୍ଜନ କରିପାରିଛନ୍ତି । ତେଣୁ କେବଳ ପୁଣେ କାହିଁକି ସମଗ୍ର ଭାରତବର୍ଷରେ ସାରଭରୀ ନିଜ ଉଦ୍ୟମରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛନ୍ତି । ଏଭଳି ଦୃଢମନା ମହିଳାଙ୍କୁ ଶହେ ସଲାମ୍ ।
