ରାଞ୍ଚି: ମୃତ୍ୟୁ ପରେ ପୁଣି ଜୀବିତ ହେବା ଅସମ୍ଭବ । ନିକଟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ହୁଏତ ଆପଣ ବିଶ୍ବାସ କରିପାରିବେ ନାହିଁ । ମୃତ ଘୋଷଣା ହୋଇଥିବା ବାଳକଟି ହଠାତ ଜୀବନ୍ତ ହୋଇଗଲା । ଜଣେ ନାବାଳକକୁ ବିଛା କାମୁଡ଼ି ଦେବା ଯୋଗୁଁ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିବା ପରେ ଏହାର ଅଧା ଘଣ୍ଟା ମଧ୍ୟରେ ପିଲାଟି ପୁଣି ଜୀବନ୍ତ ହୋଇ ଉଠିଲେ । ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରେ ଏଭଳି ଏକ ଆଶ୍ଚର୍ଯ୍ୟଜକନ ଘଟଣା ଘଟିଛି ।
ସୂଚନା ଅନୁସାରେ, ମୁଫସିଲ ଥାନା ଅନ୍ତର୍ଗତ ଚେଙ୍ଗରବାସା ବାସିନ୍ଦା ସନୁ ଟୁଡୁଙ୍କ ୧୩ ବର୍ଷୀୟ ପୁଅ ଅମନ ଟୁଡୁକୁ ଏକ ବିଛା କାମୁଡ଼ିଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ସମୟରେ ଅମନ ଅକ୍ସିଜେନ ନେବା ବନ୍ଦ କରିବା ସହ ହୃହ ସ୍ପନ୍ଦନ ମଧ୍ୟ ବନ୍ଦ ହୋଇଗଲା । ପ୍ରଥମେ ତାଙ୍କ ମୃତ୍ୟୁ ଘଟିଯାଇଥିବା ନେଇ ଡାକ୍ତରମାନେ ଅନୁମାନ କଲେ । ଏହି ସମୟରେ ସେହି ୱାର୍ଡର ଅନ୍ୟ ରୋଗୀଙ୍କ ଚେକଅପ କରୁଥିବା ଡାକ୍ତର ଫଜଲ ଅହମ୍ମଦ ସେଠାରେ ପହଞ୍ଚିଥିଲେ । ପିଲାଟିକୁ ଆଇସିୟୁରେ ଭର୍ତ୍ତି କରାଗଲା । ଡାକ୍ତର ଫଜଲ ଓ ଅନ୍ୟ କର୍ମଚାରୀ ଅମନକୁ ଅଧା ଘଣ୍ଟା ପାଇଁ ସିପିଆର ଦିଆଗଲା । ଏହାପରେ ତାଙ୍କ ହୃଦ ସ୍ପନ୍ଦନ ପୁଣି ଥରେ ଚାଲିବାକୁ ଲାଗିଲା । ମେସିନ ସାହାଯ୍ୟରେ ତାଙ୍କୁ ଅକ୍ସିଜେନ ଦେବାପରେ ସେ ପୁଣି ଜୀବିତ ହୋଇ ଉଠିଲେ । ବର୍ତ୍ତମାନ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଆଇସିୟୁ ଇନଚାର୍ଜ ।
ଏନେଇ ପରିବାର ଲୋକେ କହିଛନ୍ତି, ମଙ୍ଗଳବାର ସକାଳେ ଅମନକୁ ଏକ ବିଛା କାମୁଡ଼ିଦେଲା । ଏଥିରେ ପୁଅର ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଲା । ଗ୍ରାମରେ ତାଙ୍କୁ ଝଡ଼ାଫୁଙ୍କା କରାଗଲା । ଏଥିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ତେଣୁ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ପହଞ୍ଚିବା ପରେ ପ୍ରଥମେ କୁହାଗଲା ପିଲାଟିର ମୃତ୍ୟୁ ହୋଇ ସାରିଛି । କିନ୍ତୁ ଡାକ୍ତର ଫଜଲଙ୍କ ଚେଷ୍ଟା ପାଇଁ ଆଜି ଅମନ ନୂଆ ଜୀବନ ପାଇଛି । ଡାକ୍ତର ଫଜଲଙ୍କ ଏଭଳି ଉଦ୍ୟମକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।