ନୂଆଦିଲ୍ଲୀ: ଛାଡପତ୍ର ନେଇଥିବା ପତ୍ନୀ ପାୟଲ ଅବଦୁଲ୍ଲାଙ୍କୁ ଭରଣ ପୋଷଣ ବାବଦକୁ ମାସିକ ଦେଢ ଲକ୍ଷ ଟଙ୍କା ଦେବେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଆଜି ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଓମାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଭରଣ ପୋଷଣା ରାଶି ମଧ୍ୟରେ ପତ୍ନୀଙ୍କ ସହ ରହୁଥିବା ଓମାରଙ୍କ ଦୁଇ ପୁଅଙ୍କ ପାଠ ପଢା ଖର୍ଚ୍ଚ ବାବଦକୁ 60 ହଜାର ଟଙ୍କା ମଧ୍ୟ ସାମିଲ ଅଛି । ପାୟଲ ଅବଦୁଲ୍ଲାଙ୍କ ପକ୍ଷରୁ ହୋଇଥିବା ଏହି ଆବେଦନର ଶୁଣାଣି ଆଜି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ସୁବ୍ରମଣ୍ୟମ ପ୍ରସାଦ ଏହି ରାୟ ଦେଇଛନ୍ତି ।
ପାୟଲ ଅବଦୁଲ୍ଲା 2018 ମସିହା ଜୁଲାଇରେ ଟ୍ରାଏଲ କୋର୍ଟଙ୍କ ପ୍ରଦତ୍ତ ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପୂର୍ବରୁ ଏହି ଆବେଦନରେ ଟ୍ରାଏଲ କୋର୍ଟ, ପାୟଲ ଅବଦୁଲ୍ଲାଙ୍କ ଭରଣ ପୋଷଣ ପାଇଁ ପ୍ରତିମାସ 75 ହଜାର ଟଙ୍କା ଓ ତାଙ୍କ ପୁଅଙ୍କ ପାଠପଢା ଖର୍ଚ୍ଚ ପାଇଁ 25 ହାଜର ଟଙ୍କା ପ୍ରଦାନ କରିବା ପାଇଁ ଓମାର ଅବଦୁଲ୍ଲାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁଅ ଦୁଇଜଣଙ୍କ ବୟସ 18 ବର୍ଷ ହେବା ଯାଏଁ ପାଠପଢ଼ା ବାବଦକୁ 25 ହଜାର ଟଙ୍କା ଦେବା ପାଇଁ କୋର୍ଟ କହିଥିଲେ । ଏହାକୁ ପର୍ଯ୍ୟାପ୍ତ ନୁହେଁ ଦର୍ଶାଇ ପାୟଲ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇ ତଳକୋର୍ଟଙ୍କ ରାୟକୁ ଚ୍ଯାଲେଞ୍ଜ କରିଥିଲେ ।
ସୂଚନାଯୋଗ୍ୟ ଯେ, 1994 ମସିହାରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲାଙ୍କ ସହ ସେନାରେ ମେଜର ଜେନେରାଲ ରାମ ନାଥଙ୍କ ଝିଅ ପାୟଲ ନାଥଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ସେତେବେଳେ ଓମାର ଅବଦୁଲ୍ଲା ଦିଲ୍ଲୀର ଓବେରଇ ହୋଟେଲରେ ମାର୍କେଟିଂ ଏକ୍ସିକ୍ୟୁଟିଭ୍ ଭାବେ କାର୍ଯ୍ୟ କରୁଥିଲେ ଓ ପାୟଲ ନାଥ ମଧ୍ୟ ଏଠାରେ ହିଁ କାର୍ଯ୍ୟରତ ଥିଲେ ।
ଏହା ମଧ୍ୟ ପଢନ୍ତୁ :-Opposition Meet: ଆଦାନୀ ପ୍ରସଙ୍ଗ ଉଠାଇଲେ ରାହୁଲ, ପଚାରିଲେ ପ୍ରଧାନମନ୍ତ୍ରୀ କାହିଁକି ନିରବ ?
ପରେ ଉଭୟଙ୍କ ମଧ୍ୟରେ ବିବାହ କରିଥିଲେ । ପାୟଲ ଓ ଓମାରଙ୍କର ଜାହିର ଏବଂ ଜମିର ନାମକ ଦୁଇ ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି । ବିବାହର 17 ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଦାମ୍ପତ୍ୟ ବିବାଦ ଆରମ୍ଭ ହୋଇଥିଲା । 2009ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ଏବେ ପାୟଲ ନିଜର ଦୁଇ ପୁଅଙ୍କ ସହ ଦିଲ୍ଲୀରେ ରହୁଛନ୍ତି । ସେ ତାଙ୍କର ଓ ତାଙ୍କ ଦୁଇ ପୁଅଙ୍କ ପାଠପଢ଼ା ବାବଦକୁ ଓମାରଙ୍କଠାରୁ ଭରଣ ପୋଷଣ ଦାବି କରି କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏବେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଏବେ ଦେଢ଼ ଲକ୍ଷ ଟଙ୍କା ମାସିକ ଭରଣପୋଷଣ ଦେବା ପାଇଁ ଓମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ