ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ଜାମିନ ଆବେଦନର ଶୁଣାଣି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ନୋଟିସ ପଠାଇଲେ ଦିଲ୍ଲୀ ହାଇକୋର୍ଟ । ଏହାସହ ଜାମିନ ଆବେଦନ ଶୁଣାଣିକୁ ଆସନ୍ତା 29 ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି । ଇଡିର ଜବାବ ଆସିବା ପରେ ଜଷ୍ଟିସ ସ୍ବର୍ଣ୍ଣକାନ୍ତା ଶର୍ମାଙ୍କ ଦ୍ବାରା ଗଠିତ ବେଞ୍ଚ, ଏହି ଯାଚିକା ଉପରେ ଆସନ୍ତା 29 ତାରିଖରେ ଶୁଣାଣି କରିବେ।
ଗତ 22 ଡିସେମ୍ବରରେ ସଞ୍ଜୟ ସିଂହଙ୍କ ଜାମିନ ଆବେଦନକୁ ରାଉଜ ଆଭିନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ମନିଂ ଲଣ୍ଡରିଂ କେସରେ ସଞ୍ଜୟ ସିଂହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ହୋଇଥାଇ ପାରନ୍ତି । ରେକର୍ଡ କରାଯାଇଥିବା ତଥ୍ୟ ଅନୁସାରେ ସଞ୍ଜୟ ସିଂହ ଦୋଷୀ ବୋଲି ବିଶ୍ୱାସ କରିବା ଯଥେଷ୍ଟ ବୋଲି କହିଥିଲେ କୋର୍ଟ । ପୂର୍ବରୁ ରାଉଜ ଆଭେନ୍ୟୁ କୋର୍ଟ ପକ୍ଷରୁ କୁହାଯାଇଥିଲା, ଯଦି ଅଭିଯୋଗ ପତ୍ରରେ ନାମ ନାହିଁ କିମ୍ବା ଅଭିଯୋଗ ପତ୍ରରେ ନାମ ରହିବା ପରେ ମଧ୍ୟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଏ । ତାହେଲେ ମଧ୍ୟ ଉକ୍ତ ବ୍ୟକ୍ତିକୁ ମନିଂ ଲଣ୍ଡରିଂ କାନୁନରୁ ମୁକ୍ତ କରାଯାଇ ପାରିବ ନାହିଁ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ଅକ୍ଟୋବର 4 ତାରିଖରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ତାଙ୍କ ବାସଭବନରେ ଏକାଧିକ ଘଣ୍ଟାର ଚଢାଉ ଓ ମାରାଥନ ଜେରା ପରେ ତାଙ୍କୁ ମନି ଲଣ୍ଡ୍ରିଂ ଆକ୍ଟରେ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଥିଲା । ନିକଟରେ କେନ୍ଦ୍ରୀୟ ସଂସ୍ଥା ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ସଞ୍ଜୟଙ୍କ ବିରୋଧରେ 60 ପୃଷ୍ଠା ବିଶିଷ୍ଟ ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ ଦାଖଲ କରିଥିଲା । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ସେହିପରି ଆମ ଆଦମୀ ପାର୍ଟିର ଅନ୍ୟ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଛନ୍ତି । ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ତୃତୀୟ ବରିଷ୍ଠ ନେତା ଭାବେ ଗିରଫ ହୋଇଥିଲେ ସଞ୍ଜୟ ସିଂହ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ