ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କୁ ଆସନ୍ତାକାଲି ଦଣ୍ଡାଦେଶ ଘୋଷଣା କରାଯିବ । ଏହାପୂର୍ବରୁ ମେ 21 ରେ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀର ରୋଜ ଏଭିନ୍ୟୁ କୋର୍ଟ । ଆସନ୍ତାକାଲି ଏହି ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଛି । କୋର୍ଟ ଅପରାହ୍ନ 2 ଟାରେ ଏହି ଦଣ୍ଡାଦେଶ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି ।
ଓମ ପ୍ରକାଶ ଚୌଟାଲାଙ୍କ ଓକିଲ ବୟସାଧିକ କାରଣ ଓ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସର୍ବନିମ୍ନ ଦଣ୍ଡ ବା ନିର୍ଦ୍ଧାରିତ ଦଣ୍ଡରୁ ତାଙ୍କୁ କୋହଳ କରିବା ପାଇଁ ଖଣ୍ଡପୀଠଙ୍କ ନିକଟରେ ଆବେଦନ ଦର୍ଶାଇଥିଲେ । ଚୌଟାଲା 1993-2006 ମଧ୍ୟରେ କ୍ଷମତାରେ ଥିବା ବେଳେ ବିପୁଳ ବେଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁଲାଇରେ ଓମ ପ୍ରକାଶ ଚୌଟାଲାଙ୍କୁ ଦିଲ୍ଲୀର ତିହାର ଜେଲରୁ ମୁକ୍ତ କରାଯାଇଥିଲା । ତାଙ୍କୁ ଜେବିଟି ନିଯୁକ୍ତି ସ୍କାମରେ ମଧ୍ୟ 10 ବର୍ଷ ଦଣ୍ଡିତ କରାଯାଇଛି । ଏହା ବ୍ୟତୀତ ତାଙ୍କ ବିରୋଧରେ ଥିବା ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଏକାଧିକ ସ୍କାମରେ ଜଡିତ ଥିବା ଅଭିଯୋଗର ତଦନ୍ତ କରୁଥିବା ସିବିଆଇ 2010 ମସିହାରେ ଚାର୍ଜସିଟ ଦାଖଲ କରିଥିଲା ।
ଚାର୍ଜସିଟି ଅନୁଯାୟୀ 1993 ରୁ 2006 ମଧ୍ୟରେ ଚୌଟାଲା ତାଙ୍କ ଆୟଠାରୁ ପ୍ରାୟ 6 କୋଟି ଟଙ୍କା ମୂଲ୍ୟର ଅଧିକ ସମ୍ପତ୍ତି ବେଆଇନ ପ୍ରକ୍ରିୟାରେ ସଂଗ୍ରହ କରିଥିଲେ । ତେବେ 1999 ରୁ 2005 ପର୍ଯ୍ୟନ୍ତ ମଧ୍ୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଓମପ୍ରକାଶ ଚୌଟାଲା । କ୍ଷମତାର ଅପବ୍ୟବହାର କରି ସେ ଏହି ସବୁ ସମ୍ପତ୍ତି ଠୁଳ କରିଥିବା କହିଥିଲା ତଦନ୍ତକାରୀ ସଂସ୍ଥା CBI ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ