ନୂଆଦିଲ୍ଲୀ: ଭାରତରୁ ପଳାୟନ କରି ପାକିସ୍ତାନରେ ଆତ୍ମଗୋପନ କରିଥିବା ମୁମ୍ବାଇ ସିରିଜ ବିସ୍ଫୋରଣର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ତଥା ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମ ପୁଣି ଥରେ ମୁମ୍ବାଇ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ରଖିଛି (Dawood Ibrahim active for attack in Mumbai)। ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପାଇଁ ହାୱାଲା ଜରିଆରେ 25 ଲକ୍ଷ ଟଙ୍କା ମୁମ୍ବାଇରେ ପହଞ୍ଚିଛି । କେବଳ ଏତିକ ନୁହେଁ ବରଂ ଗତ ୪ବର୍ଷରେ ମୁମ୍ବାଇ ସମେତ ଦେଶର ଅନ୍ୟ କିଛି ପ୍ରମୁଖ ସହରରେ ଆକ୍ରମଣ ଯୋଜନକୁ ରୂପ ଦେବା ପାଇଁ ହାଓ୍ବାଲା ମାଧ୍ୟମରେ ପ୍ରାୟ ୧୨ କୋଟି ଆସିଛି । ଜାତୀୟ ତଦନ୍ତକାରୀ ଏଜେନ୍ସି (NIA)ର ଏପରି କିଛି ସୂଚନା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ଜାତୀୟ ତଦନ୍ତକାରୀ ସଂସ୍ଥା କହିଛି, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦାଉଦ ଇବ୍ରାହିମ ପୁଣି ମୁମ୍ବାଇକୁ ଟାର୍ଗେଟ କରିବାକୁ ଷଡଯନ୍ତ୍ର ଆରମ୍ଭ କରିଛି । ଗତ କିଛି ବର୍ଷ ଧରି ସେ ପାକିସ୍ତାନରେ ଆତ୍ମଗୋପନ କରିଥିବା ବେଳେ ଏହି ଷଡଯନ୍ତ୍ରକୁ ରୂପ ଦେବାକୁ ଲାଗିଛି । ଦାଉଦ ଦ୍ବାରା ପରିଚାଳିତ ଅପରାଧୀ ଗ୍ୟାଙ୍ଗ ଡି-କମ୍ପାନୀ ଏହି ଆତଙ୍କବାଦୀ ଅର୍ଥ ଯୋଗାଡରେ ଲାଗିଛି । ଏକାଧିକ ପର୍ଯ୍ୟାୟରେ ଦୁବାଇ ଓ ସୁରଟ ଦେଇ ଭାରତକୁ ହାଓ୍ବାଲା ମାଧ୍ୟମରେ କୋଟି କୋଟି ଟଙ୍କା ଆସିଛି । ଏନେଇ ଏନଆଇଏ ଏକ ଚାର୍ଜସିଟ ମଧ୍ୟ ଦାଖଲ କରିଛି । ଆତଙ୍କବାଦୀ ଦାଉଦ ଇବ୍ରାହିମ, ତାର ସହଯୋଗୀ କୁଖ୍ୟାତ ଛୋଟା ସକିଲ ସମେତ ଅନ୍ୟ କିଛି ଅପରାଧୀଙ୍କୁ ଏହି ଚାର୍ସସିଟଭୁକ୍ତ କରିଛି ସଂସ୍ଥା ।
୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣର ମାଷ୍ଟରମାଇଣ୍ଟ ଥିଲା କୁଖ୍ୟାତ ଅପରାଧି ଦାଉଦ ଇବ୍ରାହିମ । ଭାରତରୁ ପଳାୟନ କରି ପାକିସ୍ତାନରେ ଆତ୍ମଗୋପନ କରିଛି । ଭାରତ ପକ୍ଷରୁ ତାର ପ୍ରତ୍ୟାର୍ପଣ ନେଇ ବାରମ୍ବାର ପାକିସ୍ତାନ ଉପରେ ଚାପ ପକାଯାଉଥିଲେ ସୁଦ୍ଧା, ପାକିସ୍ତାନ ଦାଉଦକୁ ଆଶ୍ରୟ ଦେଇଥିବା କଥାକୁ ଅସ୍ବୀକାର କରି ଆସିଛି । ତେବେ ଭାରତରୁ ପଳାୟନ କରିଥିବା ଦାଉଦର ଏପରି ଷଡଯନ୍ତ୍ର ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏପରି ସୂଚନା ଦେବା ପରେ, ମୁମ୍ବାଇର ସୁରକ୍ଷା ନେଇ ପୁଣି ଥରେ ଉଦବେଗ ପ୍ରକାଶ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ