ଇମ୍ଫାଲ: ବହୁଜନ ସମାଜବାଦୀ ପାର୍ଟିରୁ ନିଲମ୍ବିତ ହୋଇଥିବା ଲୋକସଭା ସାଂସଦ ଡାନିଲ ଅଲ୍ଲୀ ଆଜି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । ସେ ଇମ୍ଫାଲ ଗସ୍ତ କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । କିଛି ସମୟ ପୂର୍ବରୁ ସେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ଫଟୋ ସେୟାର କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଟ୍ବିଟ କରିଥିଲେ । ଗତମାସ (ଡିସେମ୍ବର)ରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଦଳରୁ ନିଲମ୍ବିତ କରିଥିଲେ । କଂଗ୍ରେସ ସହ ତାଙ୍କର ଘନିଷ୍ଠତା ବଢୁଥିବା ଅଭିଯୋଗ ହୋଇଥିଲା । ନିଲମ୍ବିତ ହେବା ପୂର୍ବରୁ ସେ ସଂସଦରେ ବିଜେପି ସାଂସଦଙ୍କ ଦ୍ବାରା ଦୁର୍ବ୍ୟବହାରର ଶିକାର ହେବା ପରେ ତାଙ୍କୁ ରାହୁଲ ଗାନ୍ଧୀ ଭେଟିଥିଲେ । ହେଲେ ଦଳରୁ ନିଲମ୍ବିତ ହେବା ପରେ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେପରି କିଛି ହୋଇନଥିଲା । ସେ ଆଜି ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ରାହୁଲ ଗାନ୍ଧୀଙ୍କ ପ୍ରତି ଖୋଲା ସମର୍ଥନ ଘୋଷଣା କରିଛନ୍ତି ।
ଗତ ଡିସେମ୍ବର 9 ତାରିଖରେ ବହୁଜନ ସମାଜବାଦୀ ପାର୍ଟି (ବସପା) ସାଂସଦ ଡାନିଶ ଅଲ୍ଲୀଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବସପା ମୁଖ୍ୟ ମାୟାବତୀ ଦଳରୁ ନିଲମ୍ବିତ କଥିଲେ । ନିକଟରେ ଏକାଧିକ ମାମଲାରେ ଚର୍ଚ୍ଚାରେ ଥିବା ସାଂସଦ ଅଲ୍ଲୀ ଏବେ ଉତ୍ତର ପ୍ରଦେଶର ଅମରୋହାରୁ ସାଂସଦ ରହିଛନ୍ତି । ନିକଟରେ ତାଙ୍କୁ ବିଜେପି ସାଂସଦ ରମେଶ ବିଧୁରୀ ଗୃହରେ ଆଲୋଚନା ବେଳେ ଦୁର୍ବ୍ୟବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ :- ଆକ୍ସନ ନେଲେ ମାୟାବତୀ, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସାଂସଦ ଡାନିଶ ଅଲ୍ଲୀ ନିଲମ୍ବିତ
ତାଙ୍କ ସମ୍ପର୍କରେ ବିଜେପି ସାଂସଦ ବିଧୁରୀ ‘ଆତଙ୍କବାଦୀ’ ଶବ୍ଦ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା । ଏହା ପରେ ବହୁଚର୍ଚ୍ଚିତ କ୍ୟାସ ଫର କ୍ବାରୀ ମାମଲାରେ ମଧ୍ୟ ସାଂସଦ ଅଲ୍ଲୀ ପ୍ରଥମରୁ ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ସମର୍ଥନରେ ରହି ଆସିଛନ୍ତି । ସେ ସଂସଦ ଏଥିକ୍ସ କମିଟି ସଦସ୍ୟ ଥିବା ବେଳେ ମହୁଆ ମୋଇତ୍ରାଙ୍କ ବିରୋଧରେ ପ୍ୟାନେଲ ମିଟିଂ ବସିଥିବା ବେଳେ ସେ ବୈଠକ ତ୍ୟାଗ କରିଥିଲେ । ମୋଇତ୍ରାଙ୍କୁ ପ୍ୟାନେଲର ଅଧ୍ୟକ୍ଷ ବିନୋଦ ସୋନକାର ଓ ଅନ୍ୟ କିଛି ସଦସ୍ୟ ଅତି ବ୍ୟକ୍ତିଗତସ୍ତରର ପ୍ରଶ୍ନ କରିଥିଲେ ବୋଲି ଅଲ୍ଲୀ ଅଭିଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ