ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଉପରମୁହାଁ କୋରୋନା ସଂକ୍ରମଣ । କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ । ମହାରାଷ୍ଟ୍ରର ଅନେକ ଜିଲ୍ଲାରେ କୋରୋନାର ପ୍ରକୋପ ଦେଖିବାକୁ ମିଳୁଛି । ସେପଟେ ଛତିଶଗଡର ଦୁର୍ଗ ଜିଲ୍ଲାରେ ଘୋଷଣା କରାଯାଇଛି ଲକଡାଉନ ।
ମହାରାଷ୍ଟ୍ରର ପୁଣେ ସହରରେ 12 ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛି ପ୍ରଶାସନ । ଏହି କର୍ଫ୍ୟୁ ସଂଧ୍ୟା 6ଟାରୁ ସକାଳ 6ଟା ଯାଏଁ ଜାରି ରହିବ ।
ନୂତନ ପ୍ରତିବନ୍ଧକ ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ଏବଂ ଆସନ୍ତା ଶୁକ୍ରବାର ପରିସ୍ଥିତିର ସମୀକ୍ଷା ପରେ ନୂତନ ପଦକ୍ଷେପ ଘୋଷଣା କରାଯିବ। ଧାର୍ମିକ ଅନୁଷ୍ଠାନ, ହୋଟେଲ, ବାର୍, ସପିଂ ମଲ ଏବଂ ସିନେମା ହଲ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ।
ସେପଟେ ଛତିଶଗଡର ଦୁର୍ଗ ଜିଲ୍ଲା ପ୍ରଶାସନ ଏପ୍ରିଲ 6ରୁ 14 ଏପ୍ରିଲ ପର୍ଯ୍ୟନ୍ତ ଜିଲ୍ଲାକୁ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଦୁର୍ଗ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କହିଛନ୍ତି, ଜିଲ୍ଲାରେ କୋରୋନା ଭାଇରସ ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି 6ରୁ 14 ଏପ୍ରିଲ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଲକଡାଉନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି ।