ଅହମ୍ମଦାବାଦ: ଆଜି ରାତିରୁ ଅହମ୍ମଦାବାଦରେ ଲାଗୁ ହେବ ରାତ୍ରୀକାଳୀନ କର୍ଫ୍ୟୁ । ବଢୁଥିବା ସଂକ୍ରମଣ ଦେଖି ଦେଶର ପ୍ରଥମ ସହରର ଭାବେ ଅହମ୍ମଦାବାଦକୁ ଫେରିଛି ରାତ୍ରୀ କର୍ଫ୍ୟୁ । କର୍ଫ୍ୟୁକୁ ନେଇ ଲୋକଙ୍କ ମଧ୍ୟରେ ଭାଲେଣି ପଡିଛି । ସହରର ବିଭିନ୍ନ ବଜାରରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ । ସଂକ୍ରମଣ, ସାମାଜିକ ଓ କଟକଣାକୁ ଫୁ କରି ଜିନିଷ ପତ୍ର ବୋହି ନେଉଛନ୍ତି ଲୋକେ। ସକାଳୁ କାଲୁପୁର ମାର୍କେଟରେ ଶତାଧିକ ଲୋକ ଏକାଠି ହୋଇଥିଲେ । ଜିନିଷ ନେବାକୁ ରାସ୍ତା ଜାମ ହୋଇପଡିଥିଲା । ଏପରି ସ୍ଥିତି ଅନେକ ବଜାରରେ ଦେଖିବାକୁ ମିଳିଛି ।
ଗୁରୁବାର ରାତିରେ ଅହମ୍ମଦାବାଦ ପ୍ରଶାସନ କର୍ଫ୍ୟୁ ଲାଗୁ ନେଇ ଘୋଷଣା କରିଥିଲେ । ଶୁକ୍ରବାର ରାତି 9ଟାରୁ ସୋମବାର ସକାଳ 6ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଦୋକାନ ଖୋଲାରହିବ ।
ସୂଚନାଯୋଗ୍ୟ, ଅନଲକ ପ୍ରକ୍ରିୟାରେ ଦେଶରୁ ଧିରେ ଧିରେ ସମସ୍ତ କୋରୋନା କଟକଣାକୁ କୋହଳ କରାଯାଇଛି । ଲକଡାଉନ, କର୍ଫ୍ୟୁକୁ ହଟେଇ ଦିଆଯାଇଛି । ତେବେ ପୁଣି ଥରେ ଦେଶର ସହରର ଭାବେ ଅହମ୍ମଦାବାଦରେ କର୍ଫ୍ୟୁ ଘୋଷଣା କରାଯାଇଛି ।