ମୁମ୍ବାଇ: 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ । ଗୋସ୍ବାମୀ ବୁଧବାର ଅପରାହ୍ନରେ ଆଲିବାଗ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହୋଇଥିଲେ । ଯେଉଁଠାରେ ସେ ଏବଂ ତାଙ୍କ ଓକିଲ ଗୌରବ ପାର୍କର ଅଭିଯୋଗ କରିଥିଲେ ଯେ ଗୋସ୍ବାମୀଙ୍କୁ ପୋଲିସ ଆକ୍ରମଣ କରିଥିଲା । ଏହା ପରେ କୋର୍ଟ ଗୋସ୍ବାମୀଙ୍କୁ ସିଭିଲ ହସ୍ପିଟାଲରେ ଡାକ୍ତରୀ ଯାଞ୍ଚ ପାଇଁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଡାକ୍ତରୀ ରିପୋର୍ଟକୁ ଖଣ୍ଡନ କରିବା ପରେ କୋର୍ଟ କହିଛନ୍ତି ଯେ ଶାରୀରିକ ନିର୍ଯାତନା ଅଭିଯୋଗ ଭୁଲ୍ । ଅଭିଯୁକ୍ତଙ୍କ ହାତରେ କେବଳ ଛୋଟ ଛୋଟ ସ୍କ୍ରାଚ୍ ରହିଛି । ଏହାପରେ ଆଲିବାଗ ହାଇକୋର୍ଟ ଗୋସ୍ବାମୀଙ୍କୁ 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି ।
ଏଠାରେ କହିରଖୁଛୁ ଯେ, 2018 ମସିହାରେ ଜଣେ ଇଂଟରିଅର ଡିଜାଇନରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ଗତକାଲି(ବୁଧବାର) ସକାଳୁ ସକାଳୁ ଅର୍ଣ୍ଣବଙ୍କୁ ତାଙ୍କ ବାସଭବନରୁ ଉଠାଇନେଇଥିଲା ମୁମ୍ବାଇ ପୋଲିସ । ଯାହା ଗତକାଲି ଗଣମାଧ୍ୟମରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାପରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଟ୍ବିଟର ୱାର ଆରମ୍ଭ ହୋଇଯାଇଥିଲା ।
ଅର୍ଣ୍ଣବ ଗୋସ୍ବାମୀଙ୍କ ଅଚାନକ ଗିରଫଦାରୀକୁ ଏଡିଟର ଗିଲ୍ଡ ଅଫ ଇଣ୍ଡିଆ ନିନ୍ଦା କରିବା ସହ ସାମ୍ବାଦିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ନକରିବାକୁ ମହାରାଷ୍ଟ୍ର ସରକାରଙ୍କୁ ଅପିଲ କରିଛି । ଏଡିଟର ଗିଲ୍ଡର ଅଧ୍ୟକ୍ଷ ପଦରେ ଥିବା ସୀମା ମୁସ୍ତାଫା ଏବଂ ସାଧାରଣ ଏବଂ ସାଧାରଣ ସମ୍ପାଦକ ସଞ୍ଜୟ କପୁରଙ୍କୁ ମଧ୍ୟ ସାମ୍ବାଦିକଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।