ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଟୀକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଟୀକାକରଣ ଅଭିଯାନର ଗତି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏପ୍ରିଲ ମାସରେ ପ୍ରତ୍ୟେକ ଦିନ ଚାଲିବ ଟୀକାକରଣ ।
ସରକାରୀ ଓ ଘରୋଇ ଉଭୟ ଟୀକାକରଣ କେନ୍ଦ୍ରରେ ସମ୍ପୂର୍ଣ୍ଣ ଏପ୍ରିଲ ମାସ ସାରା ଭ୍ୟାକ୍ସିନେସନ କାମ ଜାରି ରହିବ । ସରକାରୀ ଛୁଟିରେ ମଧ୍ୟ ଦିଆଯିବ ଟିକା । ଏପ୍ରିଲ ମାସ ଏହି ପର୍ଯ୍ୟାୟରେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ପ୍ରତ୍ୟେକ ଦିନ କୋରୋନା ଭ୍ୟାକ୍ସିନର ଡୋଜ ଦିଆଯିବ । ସବୁଠୁ ବଡ କଥା ହେଉଛି ଯେ ସରକାରୀ ଛୁଟିରେ ମଧ୍ୟ ମିଳିବ କୋରୋନା ଟିକା । ଏହା ସହିତ ଦିନ 3ଟା ପରେ ସେହି ବ୍ୟକ୍ତିଙ୍କୁ ଟିକା ଦିଆଯିବ ଯେଉଁମାନେ ପୂର୍ବରୁ ରେଜିଷ୍ଟ୍ରେସନ କରାଇ ନାହାନ୍ତି ।
ଏପ୍ରିଲ ପହିଲା ଅର୍ଥାତ ଗୁରୁବାରଠାରୁ ଆରମ୍ଭ ହୋଇଛି 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ଅଭିଯାନ । ଦେଶରେ 45 ବର୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ପାଖାପାଖି 34 କୋଟି ରହିଛି ।