ବେଙ୍ଗାଲୁରୁ: ପଶ୍ଚିମ ଅଞ୍ଚଳ କାମାକ୍ସିପାଲ୍ୟା ପୋଲିସକୁ ମିଳିଛି ବଡ଼ ସଫଳତା । ୮୦ଟି ଚୋରି ମାମଲାରେ ସଂପୃକ୍ତି ଥିବା ମୋଷ୍ଟ ୱାଣ୍ଟେଡ ଅପରାଧୀକୁ ଧରିବାରେ ପୋଲିସ ସଫଳ ହୋଇଛି । ତେବେ ଥରେ କି ଦୁଇ ଥର ନୁହେଁ ୧୭ ଥର ପୋଲିସକୁ ଚକମା ଦେଇଥିଲା ଏହି ଦୂର୍ଦ୍ଦାନ୍ତ ଅପରାଧୀ ।
୮୦ ଟି ମାମଲାରେ ସଂପୃକ୍ତି ଥିବା ଏହି ଅଭିଯୁକ୍ତର ନାମ କାର୍ତ୍ତିକ କୁମାର ବୋଲି ଜଣାପଡ଼ିଛି। ସେ 2008 ଓ ୨୦୧୦ ମସିହାରେ ଦୁଇଥର ପୋଲିସ ହେପାଜତରୁ ଖସି ପଳାଇବାରେ ସଫଳ ହୋଇଥିଲା । ତେଣୁ ପୋଲିସ ତାର ନାମ ‘ଏସ୍କେପ୍ କାର୍ତ୍ତିକ’ ବୋଲି ରଖିଥିଲା | ମିଳିଥିବା ସୂଚନା ଅନୁଯାୟୀ କାମାକ୍ସିପାଲ୍ୟା ପୋଲିସ ତା ଠାରୁ 11.43 ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଜବତ କରିଛି।
ପ୍ରଥମେ ୧୬ ବର୍ଷ ବୟସରେ 2005 ମସିହାରେ ଅପରାଧ ଦୁନିଆରେ ପାଦ ଦେଇଥିଲା କାର୍ତ୍ତିକ । ଏହା ପରେ ବାରମ୍ବାର ଅପରାଧୀ ଭାବରେ ଜାମିନରେ ଆସି ପୁଣି ଅପରାଧ ଘଟାଉଥିଲା। କାର୍ତ୍ତିକ 2008 ମସିହାରେ ପାରାପାନା ଆଗ୍ରାହାରା କେନ୍ଦ୍ରୀୟ କାରାଗାରରୁ ଏକ ଖାଦ୍ୟ ଭ୍ୟାନରେ ଫେରାର ହେବାର 45 ଦିନ ପରେ ତାକୁ ଧରାଯାଇଥିଲା | ତେବେ ସେ ପୁନର୍ବାର 2010ରେ ପୋଲିସ ହେପାଜତରୁ ଖସି ପଳାଇଥିଲା।
ସେ ଡେଇଁବା ଓ ଦୌଡ଼ିବାରେ ପାରଙ୍ଗମ ଥିବାରୁ ଅପରାଧ କରି ସହଜରେ ଘଟଣାସ୍ଥଳରୁ ଖସି ପଳାଉଥିଲେ । ଗତକାଲି ଏକ ଅପରାଧ ଘଟାଇ ସେଠାରୁ ପଳାଇଯାଉଥିବା ବେଳେ କାର୍ତ୍ତିକକୁ ଧରିବାରେ ସଫଳ ହେଲା ପୋଲିସ । ତେବେ ସହରର ଏତେ ବଡ଼ ଅପରାଧୀ ଗିରଫ ହେବାପରେ ପୋଲିସକୁ ଆଶ୍ବସ୍ତି ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ